ଭୁବନେଶ୍ଵର,୬/୩(ସତ୍ୟପାଠ ବ୍ୟୁରୋ): ମାଓବାଦୀମାନେ ନବରଙ୍ଗପୁର ଜିଲ୍ଲାର ରାଇଘର ଅଞ୍ଚଳର ଆଦିବାସୀମାନଙ୍କୁ ସେମାନଙ୍କର ଜମିଜମା ବଙ୍ଗୀୟ ଲୋକଙ୍କୁ ଚାଷ ତଥା ଅନ୍ୟାନ୍ୟ ଉଦ୍ଦେଶ୍ୟରେ ହସ୍ତାନ୍ତର ନକରିବାକୁ କହିଛନ୍ତି। ମାଓବାଦୀ ଏଭଳି ଚେତାବନୀ ଏକ ପୋଷ୍ଟର ଜରିଆରେ ଆଦାବାସୀଙ୍କୁ ଦେଇଛନ୍ତି। ରାଇଘର ବ୍ଲକର ଏହି ପୋଷ୍ଚର ହଳଦୀ, ହାତିଗାଁ, କୁରାବେଡା, ନାକଟିସମଡ଼ା, ମୁଣ୍ଡିବେଡା, ଗୋନା ଓ କୁନ୍ଦେଇ ଆଦି ଉପାନ୍ତ ଅଞ୍ଚଳର ରାସ୍ତାକଡ଼ ଏବଂ ଛକ ଜାଗାଗୁଡ଼ିକରେ ମାଓ ପୋଷ୍ଟର ପଡ଼ିଥିବା ଦେଖିବାକୁ ମିଳିଥିଲା।
ଏହି ପୋଷ୍ଟରରେ ମାଓବାଦୀମାନେ ଦାବି କରିଛନ୍ତି ଯେ କେନ୍ଦ୍ର ସରକାର ରାଇଘର ଅଞ୍ଚଳରେ ଅନେକ ବଙ୍ଗାଳୀ ଲୋକଙ୍କୁ ଥଇଥାନ କରିବାକୁ ଯାଇ ସେମାନଙ୍କୁ ଜମି ପଟ୍ଟା ଦେଇଛନ୍ତି। ତେବେ ସରକାର ଏପର୍ଯ୍ୟନ୍ତ ଆଦିବାସୀ ଲୋକଙ୍କୁ ଜମି ପଟ୍ଟା ଯୋଗାଇ ଦେଇ ନାହାଁନ୍ତି ବୋଲି ମାଓବାଦୀମାନେ ଅଭିଯୋଗ କରିଛନ୍ତି। ପୋଷ୍ଟରରେ କୁହାଯାଇଛି ଯେ ଆଦିବାସୀମାନେ ସେମାନଙ୍କର ଜମିଜମାକୁ ବଙ୍ଗୀୟ ଲୋକଙ୍କୁ ଚାଷ ଏବଂ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ହସ୍ତାନ୍ତର କରିବା ଉଚିତ୍ ନୁହେଁ।
ଜଙ୍ଗଲ ନିକଟରେ ରହୁଥିବା ଆଦିବାସୀମାନଙ୍କୁ ଜମି ପଟ୍ଟା ଯୋଗାଇବା ପାଇଁ ୨୦୦୬ରେ କେତେକ ଆଇନ ପ୍ରଣୟନ କରାଯାଇଥିଲା। ତେବେ ଅନେକ ଆଦିବାସୀଙ୍କୁ ଏପର୍ଯ୍ୟନ୍ତ ଜମି ପଟ୍ଟା ଯୋଗାଇ ଦିଆଯାଇ ନାହିଁ ବୋଲି ମାଓବାଦୀ ପୋଷ୍ଟର ଅଭିଯୋଗ କରିଛି।ମାଓବାଦୀମାନେ ବଙ୍ଗୀୟ ଲୋକଙ୍କୁ ମଧ୍ୟ ଆଦିବାସୀମାନଙ୍କର ଜମିଜମାକୁ ଶୀଘ୍ର ଫେରାଇବାକୁ କହିଛନ୍ତି।





