ଜନ୍ମମାଟିରେ ପହଞ୍ଚିଲା ସହିଦ ସୁଶାନ୍ତଙ୍କ ପାର୍ଥିବ ଶରୀର, ଆନନ୍ଦପୁରରେ ଶୋକାକୁଳ ପରିବେଶ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସହିଦ ସୁଶାନ୍ତ ଅମର ରହେ ସ୍ଲୋଗାନରେ କମ୍ପୁଛି ଗାଁ ଦାଣ୍ଡ | ସେପଟେ ପ୍ରିୟଜନଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଘର ଅଗଣା | ଗତକାଲି ମାଓବାଦୀଙ୍କ ଗୁଳିରେ ସହିଦ ହୋଇଥିଲା ଗାଁ ର ସୁନା ପୁଅ। ଆଉ ଆଜି ମର ଶରୀର ଜନ୍ମମାଟି ରେ ପହଞ୍ଚିବା ପରେ ପୁରା ଗାଁରେ ଶୋକାକୁଳ ପରିବେଶ। ଝାଡଖଣ୍ଡ ଚାଇଁବାସା ନିକଟ କୋଲହାନ୍ ଜଙ୍ଗଲରେ ମାଓବାଦୀ ଏବଂ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଘମାଘୋଟ ଲଢେଇରେ ଶହିଦ ହୋଇଛନ୍ତି ସିଆରପିଏଫରେ କାର୍ଯ୍ୟରତ ଓଡ଼ିଆ ଯବାନ। ଗତ ୩ଦିନ ଧରି ଚାଲିଥିବା ଏ ଲଢେଇରେ ସାମିଲ ଥିଲେ କେନ୍ଦୁଝର ଆନନ୍ଦପୁରର ସୁଶାନ୍ତ ଖୁଣ୍ଟିଆ।

ସୂଚନା ଅନୁସାରେ ଶୁକ୍ରବାର ଦିନ ପ୍ରାୟ ୧୧ ଟାରୁ ୧୨ ଭିତରେ ମାଓବାଦୀ ଏବଂ ସିଆରପିଏଫ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଫଳରେ ସୁଶାନ୍ତଙ୍କ ଛାତିରେ ବାଜିଥିଲା ଗୁଳି। ତାଙ୍କ ସହ ଆଉ ଜଣେ ଯବାନ ମୁନ୍ନା ଲାଲ୍ ୟାଦବ ମଧ୍ୟ ଗୁରୁତର ହୋଇଥିଲେ। ଉଭୟଙ୍କୁ ତୁରନ୍ତ ରାଞ୍ଚି ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ ଆଖି ବୁଜି ଦେଇଥିଲେ।

ଏପଟେ ଝାଡ଼ଖଣ୍ଡ ମାଓ ହମଲାରେ ଓଡ଼ିଆ ଯବାନ ସହିଦ ହେବା ପରେ, ସାମ୍ନାକୁ ଆସିଛି ତାଙ୍କ ପରିବାରର ଦୁଃଖ ଓ ଯନ୍ତ୍ରଣାର କାହାଣୀ। ସୁଶାନ୍ତ ସହିଦ ହେବା ସହ ମୁରବୀଶୂନ୍ୟ ହୋଇଛ ତାଙ୍କ ପରିବାର। ଆଜିକୁ ପାଖାପାଖି ୨ ବର୍ଷ ପୂର୍ବେ ସୁଶାନ୍ତଙ୍କର ବାପାଙ୍କ ମୃତ୍ୟୁ ହୋଇଥିଲା। ପରେ ପରେ ସିଆରପିଏଫରେ ଥିବା ତାଙ୍କ ବଡ ଭାଇ ସହିଦ ହୋଇଥିଲେ। ନିକଟରେ ତାଙ୍କ ମଝିଆଁ ଭାଇଙ୍କର ମଧ୍ୟ କ୍ୟାନ୍ସର ରେ ମୃତ୍ୟୁ ହୋଇଥିଲା। ଏପଟେ ସୁଶାନ୍ତ ମାତ୍ର ୨ ମାସ ତଳେ ବିବାହ କରିଥିବାବେଳେ ତାଙ୍କ ମାଆ ଦୀର୍ଘ ଦିନ ଧରି ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ପରିବାରର ମେରୁଦଣ୍ଡ ଥିବା ପୁଅ ସହିଦ ହେବାର ଖବର ପାଇବା ପରେ ଏବେ ନିର୍ବାକ ପାଲଟିଯାଇଛନ୍ତି ବୃଦ୍ଧା ମାଆ। ଏପଟେ ସୁଶାନ୍ତଙ୍କ ସହିଦ ହେବା ଖବର ସମଗ୍ର ଆନନ୍ଦପୁର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ଆଜି ସହିଦଙ୍କ ମରଶରୀର ଜନ୍ମମାଟିକୁ ଆସିବା ପରେ ଏକ ବିଶାଳ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଛି। ରାଜନେତା ସମାଜସେବୀଙ୍କଠୁ ନେଇ ସାଧାରଣ ଜନତା ଏପରିକି ସ୍କୁଲ ଛାତ୍ରଛାତ୍ରୀ ସମସ୍ତେ ସୁଶାନ୍ତଙ୍କୁ ଦେଇଛନ୍ତି ଶ୍ରଦ୍ଧାଞ୍ଜଳି । ଗାଁ ପୁଅ ଦେଶ ପାଇଁ ଛାତିରେ ଗୁଳି ଖାଇ ସହିଦ ହୋଇଥିବା ଖବର ଯେତିକି ଗର୍ବିତ କରୁଛି ସହିଦ ପରିବାରର ଦୁଃଖ ଆଖିରେ ସେତିକି ଲୁହ ଆଣୁଛି। ଶେଷରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁନ୍ୟୋତୟା ବୈତରଣୀ କୂଳରେ ବୀର ସୁଶାନ୍ତଙ୍କ କରାଯାଇଛି ଅନ୍ତିମ ସଂସ୍କାର।

Related Posts