ଭୁବନେଶ୍ୱର,୨୯/୩ (ସତ୍ୟପାଠ ବ୍ୟୁରୋ): ମଙ୍ଗଳବାର ବିଧାନସଭା ଶୂନ୍ୟକାଳରେ ଉଠିଛି ବଲାଙ୍ଗୀର ଜାଲ ସାର୍ଟିଫିକେଟ ରାକେଟ ପ୍ରସଙ୍ଗ। କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ପ୍ରସଙ୍ଗ ଉଠାଇ ଏହି ରାକେଟ ରେ ବିଜେଡି ନେତାଙ୍କ ସଂପୃକ୍ତି ଥିବା ଅଭିଯୋଗ କରିବା ସହିତ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ବଲାଙ୍ଗୀରରେ ନକଲି ସାର୍ଟିଫିକେଟ ରାକେଟ ଚାଲିଛି। ଏହି ମାମଲାରେ ମନୋଜ ମିଶ୍ର ଏବଂ ଅଶୋକ ଉଦଗାତାଙ୍କ ସମେତ ୧୯ ଜଣ ଗିରଫ ହୋଇଛନ୍ତି।
ଏମାନେ ବର୍ଷ ବର୍ଷ ଧରି ନକଲି ସାର୍ଟିଫିକେଟର ରାକେଟ ଚଳାଇଥିଲେ। ହଜାର ହଜାର ଛାତ୍ରଛାତ୍ରୀମାନଙ୍କୁ ନକଲି ସାର୍ଟିଫିକେଟ ଏବଂ ମାର୍କସିଟ ଦେଇଛନ୍ତି। ସେହି ଛାତ୍ରଛାତ୍ରୀମାନେ ବିଭିନ୍ନ ବିଭାଗରେ ଚାକିରି କରିଛନ୍ତି। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟର ରାକେଟ ଚାଲିଛି ।
ସେ ଆହୁରି କହିଛନ୍ତି, ଏ ରାକେଟରେ ବିଜେଡି ନେତାମାନେ ସମ୍ପୃକ୍ତ ଅଛନ୍ତି। ସେମାନେ ବିଜେଡି ଆଇଟି ସେଲର ଉପଦେଷ୍ଟା ଥିବା ଶୁଣାଯାଉଛି। ଏହି ମାମଲାରେ ବିଜେଡିର ଆଇଟି ସେଲର ସଦସ୍ୟ ଗିରଫ ହୋଇଛନ୍ତି। ଜାଲି ସାର୍ଟିଫିକେଟ ଦେଇ ଅ, ଆ ଜାଣିନଥିବା ପିଲା ମାଟ୍ରିକ ଓ ଯୁକ୍ତ ଦୁଇରେ ପ୍ରଥମ ହୋଇଛନ୍ତି। ଏହାଦ୍ବାରା ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସରକାର ଅନ୍ଧାରକୁ ଠେଲି ଦେଉଛନ୍ତି। ଏମାନଙ୍କୁ ଏନଏସଏରେ ବୁକ୍ କରିବା ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା।





