ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହି ଇଦଗାହ ବିବାଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦରେ ବିବାଦୀୟ ପରିସରର ସର୍ଭେ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ୩ ଜଣ କମିଶନରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହି ଇଦଗାହ ପ୍ରସଙ୍ଗ ବର୍ଷ ବର୍ଷ ଧରି ଆଇନଗତ ଲଢ଼େଇରେ ଫସି ରହିଛି। ଶ୍ରୀକୃଷ୍ଣ ଜନ୍ମଭୂମିର ସର୍ଭେ ପାଇଁ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଏବେ ଆହ୍ଲାବାଦ ହାଇକୋର୍ଟ ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କମିଶନର ବିବାଦୀୟ ପରିସରର ସର୍ଭେ କରିବେ।
ଜଷ୍ଟିସ ମୟଙ୍କ କୁମାର ଜୈନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହି ମାମଲାରେ ଶ୍ରୀକୃଷ୍ଣ ବିରାଜମାନଙ୍କ ତରଫରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଆବେଦନରେ ଆଡଭୋକେଟ କମିଶନର ସର୍ଭେ କରିବାକୁ ଦାବି କରାଯାଇଥିଲା । ଏହି ଆବେଦନର ଶୁଣାଣି କରି ଜଷ୍ଟିସ ଜୈନ ଗତ ନଭେମ୍ବର ୧୬ରେ ରାୟ ସଂରକ୍ଷିତ ରଖିଥିଲେ।
ଶ୍ରୀକୃଷ୍ଣ ବିରାଜମାନଙ୍କ ପକ୍ଷରୁ ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ହାଇକୋର୍ଟରେ ଆବେଦନ ଉପରେ ଯୁକ୍ତି ଉପସ୍ଥାପନ କରିଥିଲେ। ମଥୁରା ବିବାଦ ସହ ଜଡ଼ିତ ସମସ୍ତ ୧୮ଟି ଆବେଦନର ଶୁଣାଣି ଆହ୍ଲାବାଦ ହାଇକୋର୍ଟରେ ଚାଲିଛି। ଏସବୁ ଆବେଦନ ମଥୁରା ଜିଲ୍ଲା ଅଦାଲତରୁ ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲା ।





