ଭୁବନେଶ୍ୱର,(ସତ୍ୟପାଠ ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ(ମାଟ୍ରିକ) ପରୀକ୍ଷା ଆଜିଠୁ (ଫେବ୍ରୁଆରି ୨୦)ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ୍ ପରୀକ୍ଷା ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଓ ମଧ୍ୟମା ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀଙ୍କ ପାଇଁ ସକାଳ ସାଢ଼େ ୭ଟାରେ ପରୀକ୍ଷା କେନ୍ଦ୍ର ଖୋଲିବ ଓ ପରୀକ୍ଷାର୍ଥଙ୍କୁ ସାଢ଼େ ୮ଟାରେ ଓଏମ୍ଆର ଫର୍ଦ୍ଦ ପ୍ରଦାନ କରାଯିବ।
ସକାଳ ୮ଟା ୪୫ରେ ପ୍ରଶ୍ନପତ୍ର ପ୍ରଦାନ କରାଯିବ ଓ ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହୋଇ ସାଢ଼େ ୧୧ଟାରେ ପରୀକ୍ଷା ସରିବ। ପ୍ରଥମ ଭାଗ(ଅବ୍ଜେକ୍ଟିଭ୍) ପରୀକ୍ଷା ସକାଳ ୯ଟାରୁ ୧୦ଟା ଓ ଦ୍ବିତୀୟ ଭାଗ(ସବ୍ଜେକ୍ଟିଭ୍) ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ସାଢ଼େ ୧୧ଟାରେ ସରିବ। କିନ୍ତୁ ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୧୫ ମିନିଟ ସମୟ ମିଳିବ। ଅର୍ଥାତ୍ ଗଣିତ ପ୍ରଥମ ଭାଗ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୦ଟା ୧୫ରେ ସରିବ ଓ ଦ୍ବିତୀୟ ଭାଗ ଗଣିତ ୧୦ଟା ୧୫ରୁ ଆରମ୍ଭ ହୋଇ ୧୧ଟା ୧୫ରେ ସରିବ। ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା ହଲ୍ ଖୋଲୁଥିଲେ ମଧ୍ୟ କୌଣସି କାରଣରୁ ଯଦି ପରୀକ୍ଷାର୍ଥୀ ସକାଳ ୯ଟା ପରେ ଅର୍ଥାତ୍ ପରୀକ୍ଷା ଆରମ୍ଭ ହେବା ପରେ ବି ଆସନ୍ତି, ସେମାନଙ୍କୁ ପରୀକ୍ଷା ଦେବାର ସୁଯୋଗ ମିଳିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ପରୀକ୍ଷାରେ କପି ବା ଅନିୟମିତତା ରୋକିବାକୁ ବୋର୍ଡ ପକ୍ଷରୁ ୪୨ଟି ବୋର୍ଡ ସ୍କ୍ବାଡ୍ (ସ୍ପେସାଲ ସ୍କ୍ବାଡ୍), ୭୨ଟି ଫ୍ଲାଇଙ୍ଗ୍ ସ୍କ୍ବାଡ୍ ଗଠନ ହୋଇଥିବା ବେଳେ ଏଡିଏମ୍ ସ୍ତରରେ ସ୍ବତନ୍ତ୍ର ସ୍କ୍ବାଡ୍ ବ୍ୟବସ୍ଥା ହୋଇଛି। ଏହା ବ୍ୟତୀତ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(ଏଆଇ) କ୍ୟାମେରା ବ୍ୟବସ୍ଥା କରାଯିବା ସହିତ ସମସ୍ତ ନୋଡାଲ ସେଣ୍ଟରରେ ଲାଇଭ୍ ବ୍ୟବସ୍ଥା ଓ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଖଞ୍ଜାଯାଇଛି। ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇଙ୍କ କହିବା ଅନୁସାରେ ପରୀକ୍ଷାକୁ ସ୍ବଚ୍ଛ ଓ ଶୃଙ୍ଖଳିତ କରିବା ପାଇଁ ବୋର୍ଡ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ସହିତ କୌଣସି ପରୀକ୍ଷାର୍ଥୀ ଯେଭଳି ପରୀକ୍ଷାରୁ ବଞ୍ଚିତ ନ ହୁଅନ୍ତି, ସେଥି ପାଇଁ ଗୁରୁତ୍ବ ଦିଆଯାଉଛି। ପରୀକ୍ଷା ଆରମ୍ଭ ପରେ ଏପରିକି ପ୍ରବେଶ ନିଷେଧ ସମୟ (୯ଟା ୩୦ମିନିଟ୍ ) ପରେ କୌଣସି ଛାତ୍ରଛାତ୍ରୀ ଆସିଲେ, ସେମାନଙ୍କୁ ବୋର୍ଡର କଣ୍ଟ୍ରୋଲ ରୁମରୁ ଅନୁମତି ନେଇ ପରୀକ୍ଷା ଦେବାକୁ କେନ୍ଦ୍ର ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଛାତ୍ରଛାତ୍ରୀଙ୍କ ଆଡ୍ମିଟ୍ କାର୍ଡରେ କୌଣସି ତ୍ରୁଟି ରହିଥାଏ, ସେମାନଙ୍କୁ ପରୀକ୍ଷା ଦେବାରୁ ବଞ୍ଚିତ କରା ନ ଯିବା ପାଇଁ ବ୍ୟବସ୍ଥା ରହିଛି ବୋଲି ସଭାପତି ଶ୍ରୀ ତରାଇ କହିଛନ୍ତି। ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ଯେଉଁ ଦିନ ଯେଉଁ ପରୀକ୍ଷା ଅଛି, ସେହିଦିନ ସକାଳ ୭ଟା ୩୦ ପୂର୍ବରୁ ପ୍ରଶ୍ନପତ୍ର ନୋଡାଲ ସେଣ୍ଟରରୁ ଯାଇ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ବୋଲି ସଭାପତି ଶ୍ରୀ ତରାଇ କହିଛନ୍ତି।
ସୂଚନାଯୋଗ୍ୟ, ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପାଇଁ ୫ ଲକ୍ଷ ୫୧ ହଜାର ୬୧୧ ଜଣ, ରାଜ୍ୟ ମୁକ୍ତବିଦ୍ୟାଳୟ ପାଇଁ ୭୮୩୧ ଓ ମଧ୍ୟମା ପାଇଁ ୩୦୩୭ ପରୀକ୍ଷାର୍ଥୀ ଫର୍ମପୂରଣ କରିଛନ୍ତି। ମାଟ୍ରିକ୍ ପରୀକ୍ଷା ପାଇଁ ୨୯୯୧, ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୫୫ ଓ ମଧ୍ୟମା ପରୀକ୍ଷା ପାଇଁ ୧୦୭ଟି କେନ୍ଦ୍ରରେ ବ୍ୟବସ୍ଥା ହୋଇଛି। ପ୍ରଶ୍ନପତ୍ର ରଖିବା ପାଇଁ ୩୧୩ଟି ନୋଡାଲ ସେଣ୍ଟର ରହିଛି।





