ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗତକାଲି ବାରିପଦାରେ ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ‘ଆଦି ରନ୍’ ମାରାଥନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସମେତ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ଏସ୍ପି ବି. ଗଙ୍ଗାଧର ଯୋଗଦେଇଥିଲେ | ହେଲେ ଏହି କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାପାଳ ଓ ଏସପି ପିନ୍ଧିଥିବା ଟି-ସାର୍ଟକୁ ନେଇ ବିବାଦ ଦେଖାଦେଇଛି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିବାକୁ ନେଇ ବିବାଦ ସୃଷ୍ଟି ହୋଇଛି |
ସୋସିଆଲ ମିଡିଆ ଏକ୍ସ ଜରିଆରେ ଜଣେ ୟୁଜର ନବୀନଙ୍କ ଟି ସାର୍ଟ ପିନ୍ଧା ମୟୂରଭଞ୍ଜ ଜିଲ୍ଲାପାଳଙ୍କ ଫଟୋ ପୋଷ୍ଟ କରିଥିଲେ। ଯାହାକୁ ରି ଟ୍ୱିଟ୍ କରି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ହାସ୍ୟାସ୍ପଦ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ଲେଖିଛନ୍ତି। ଅଫିସରଙ୍କ ଆଚରଣ ସ୍ତରରେ ଅଧଃପତନ ଏଭଳି ସ୍ତରରେ ପହଞ୍ଚିଲାଣି ବୋଲି ଲେଖିବା ସହ ସଂପୃକ୍ତ ଅଫିସରମାନେ ଜାଣିବା ଉଚିତ୍ ଯେ ସମୟ ସବୁବେଳେ ସମାନ ନଥାଏ ବୋଲି ଅପରାଜିତା କହିଛନ୍ତି।
ତେବେ ଗତ ସାଢେ ୫ ବର୍ଷ ହେବ ମୟୁରଭଞ୍ଜର ଜିଲ୍ଲାପାଳ ଅଛନ୍ତି ବିନୀତ ଭରଦ୍ୱାଜ | କୌଣସି ଜିଲ୍ଲାରେ ଜଣେ ଜିଲ୍ଲାପାଳ ଏତେ ବର୍ଷ ରହିବା ସର୍ବଭାରତୀୟ ସର୍ଭିସ ରୁଲ୍ର ଖୋଲା ଉଲ୍ଲଂଘନ ହୋଇଥିବା ବେଳେ ଏହାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ମଧ୍ୟ ଉଠାଯାଇଛି । ଏହା ସହିତ ବିଭିନ୍ନ ସମୟରେ ଅନେକ ବିବାଦରେ ଛନ୍ଦି ହୋଇଥିବା ଏହି ଅଫିସର ଏବେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧି ପୁଣି ଚର୍ଚ୍ଚାକୁ ଆସିଛନ୍ତି |





