ଭୁବନେଶ୍ୱର:ଆନ୍ଧ୍ରପ୍ରଦେଶରେ ଦେଶର ସର୍ବବୃହତ ଇସ୍ପାତ ପ୍ରକଳ୍ପ ‘ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ’ର ଭିତ୍ତିପ୍ରସ୍ତର ସ୍ଥାପନ ହେବା ପରେ, ଓଡ଼ିଶାରେ ପ୍ରତିଷ୍ଠା ହେବାକୁ ଥିବା ସମାନ ପ୍ରକଳ୍ପ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଏହାକୁ ନେଇ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କୁ ତୀବ୍ର ଆକ୍ରମଣ କରିଛି ଏବଂ ଏହାକୁ ରାଜ୍ୟ ପାଇଁ “କଳାଦିନ” ବୋଲି ବର୍ଣ୍ଣନା କରିଛି।ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପସଭାପତି ଓ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ପୂର୍ବ ସରକାରଙ୍କ ସମୟରେ କେନ୍ଦ୍ରାପଡା ଜିଲ୍ଲାରେ ୨୪ ମିଲିଅନ ଟନ କ୍ଷମତାର ଏକ ମେଗା ଇସ୍ପାତ ପ୍ରକଳ୍ପ ପାଇଁ ଏଏମଏନଏସ ସହ ଚୁକ୍ତି ହୋଇଥିଲା। ଜମି ଅଧିଗ୍ରହଣ, ରେଲୱେ ଲାଇନ, ରାସ୍ତା ଓ ବନ୍ଦର ନିର୍ମାଣ ପର୍ଯ୍ୟନ୍ତ ପ୍ରାରମ୍ଭିକ କାମ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନର ବିଜେପି ସରକାର ଆସିବା ପରେ ସମସ୍ତ ପ୍ରକଳ୍ପ କାର୍ଯ୍ୟ ଧୀମା ପଡ଼ିଯାଇଛି।ସେ ଅଭିଯୋଗ କରିଛନ୍ତି ଯେ, “ଡବଲ ଇଞ୍ଜିନ ସରକାର” ନାମରେ ଆସିଥିବା ସରକାର ରାଜ୍ୟର ବିକାଶରେ “ଡବଲ ବ୍ରେକ” ଲଗାଇଦେଇଛି। ଏକ ପରେ ଏକ ଶିଳ୍ପ ପ୍ରକଳ୍ପ ଓଡ଼ିଶା ଛାଡ଼ି ଅନ୍ୟ ରାଜ୍ୟକୁ ଯାଉଥିବା ବେଳେ ସରକାର କେବଳ ଉତ୍ସବ ଓ କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଛନ୍ତି।ବିଜେଡି ଆହୁରି କହିଛି ଯେ, ଗତ ୨୦ ମାସରେ ଜିନ୍ଦଲ ଇଭି, ୱେଲସ୍ପନ, ୱାରୀ ସୋଲାର ଓ ସେମିକଣ୍ଡକ୍ଟର କମ୍ପାନୀ ଏସ ରାମ ଓ ଏନ ରାମ ପରି ଅନେକ ପ୍ରକଳ୍ପ ରାଜ୍ୟରୁ ପ୍ରସ୍ଥାନ କରିଛି। ଏହି ପ୍ରକଳ୍ପଗୁଡିକ ସ୍ଥାପିତ ହେଇଥାନ୍ତା, ହଜାର ହଜାର ଯୁବକ-ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳୁଥାନ୍ତା, ଯାହା ଏବେ ହାତଛାଡ଼ା ହୋଇଛି।ଅନ୍ୟପଟେ ବିଧାୟକ ସାରଦା ପ୍ରସନ୍ନ ଜେନା କହିଛନ୍ତି ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ ଏଏମଏନଏସ ପ୍ରକଳ୍ପ ଓଡ଼ିଶାରୁ ଯାଇନାହିଁ ବୋଲି ସାର୍ବଜନୀନ ଭାବେ କହିଥିଲେ। କିନ୍ତୁ ଆନ୍ଧ୍ରପ୍ରଦେଶରେ ଏହି ପ୍ରକଳ୍ପର ଶୁଭାରମ୍ଭ ହେବା ପରେ ସେହି ଦାବି ପ୍ରଶ୍ନରେ ପଡ଼ିଛି।ବିଜେଡି ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବାକୁ ଦାବି କରିଛି ଓ କହିଛି ଯେ, ରାଜ୍ୟରୁ ଶିଳ୍ପ ପ୍ରସ୍ଥାନ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ।





