ମେଘାଳୟ ଏକମାତ୍ର ରାଜ୍ୟ ଯେଉଁଠି ପୁରୁଷଙ୍କଠୁ ଅଧିକ ମହିଳା ଖବରକାଗଜ ପଢନ୍ତି, ପଢନ୍ତୁ କେଉଁ ରାଜ୍ୟରେ କେତେ ପ୍ରତିଶତ ପୁରୁଷ ସପ୍ତାହରେ ଥରେ ପେପର୍ ପଢନ୍ତି

ଭୁବନେଶ୍ୱର,୬/୧(ସତ୍ୟପାଠ ବ୍ୟୁରୋ): ଦିନଥିଲା ଖବର କାଗଜକୁ ଖବର ଜାଣିବାର ମୁଖ୍ୟ ମାଧ୍ୟମ କୁହାଯାଉଥିଲା। ଲୋକଙ୍କ ସକାଳ ହାତରେ ଥିବା ଖବର କାଗଜର ସତେଜ ଖବରରୁ ଆରମ୍ଭ ହେଉଥିଲା। ମାତ୍ର ଆଜିର ଏଇ ବ୍ରେକିଂ ନ୍ୟୁଜ ଦୁନିଆରେ ଏହା ଧୀରେ ଧୀରେ ଲୋକଙ୍କ ଜୀବନ ଶୈଳୀରୁ ବାଦ୍ ପଡ଼ିବାକୁ ଲାଗିଲାଣି। କ’ଣ ଆପଣ ଜାଣନ୍ତି ଆଜିର ଦିନରେ ଆମ ଦେଶର ପାଖାପାଖି ୩ଜଣ ପୁରୁଷଙ୍କ ମଧ୍ୟରୁ ମାତ୍ର ଜଣେ ହିଁ ସପ୍ତାହକୁ ଥରେ ଖବରକାଗଜ କିମ୍ବା କୌଣସି ମାଗାଜିନ୍ ପଢ଼ିଥନ୍ତି। ପ୍ରକୃତ ପରିସଂଖ୍ୟାନକୁ ଦେଖିଲେ ଆମ ଦେଶର ମାତ୍ର ୩୨% ପୁରୁଷ ସପ୍ତାହକୁ ଥରେ ଖବର କାଗଜ ପଢ଼ିଥାନ୍ତି। ସେହିଭଳି ଦେଶର ପ୍ରତି ୭ଜଣରେ ଜଣେ ମହିଳା ସପ୍ତାହରେ ଥରେ ଖବର କାଗଜ ପଢିଥନ୍ତି। ନ୍ୟାସନାଲ ଫ୍ୟାମେଲି ହେଲ୍ଥ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

ସେହିଭଳି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ଦେଖିବାକୁ ଗଲେ ମେଘାଳୟ ଏକମାତ୍ର ରାଜ୍ୟ ଯେଉଁଠି ପୁରୁଷଙ୍କଠାରୁ ଅଧିକ ମହିଳା ଖବରକାଗଜ ପଢ଼ନ୍ତି।

ତେବେ ନ୍ୟାସନାଲ ଫ୍ୟାମେଲି ହେଲ୍ଥ ସର୍ଭେର ରିପୋର୍ଟରୁ ଜଣାପଡିଛି ଯେ, ଆମ ଦେଶରେ କେରଳରେ ସର୍ବାଧିକ ୬୬% ପୁରୁଷ ସପ୍ତାହରେ ଥରେ ଖବର କାଗଜ ପଢୁଥିବା ବେଳେ ଏହି ତାଲିକାରେ ସବୁଠୁ ତଳେ ରହିଛି ଆସାମ। ଏଠାରେ ସର୍ବନିମ୍ନ ୧୦% ପୁରୁଷ ସପ୍ତାହରେ ଥରେ ଖବର କାଗଜ ପଢିଥାନ୍ତି। ସେହିଭଳି ଆମ ରାଜ୍ୟ ଓଡ଼ିଶାକୁ ଦେଖିଲେ ମାତ୍ର ୨୩% ପୁରୁଷ ଓଡ଼ିଶାରେ ସପ୍ତାହରେ ଥରେ ଖବର କାଗଜ କିମ୍ବା କୌଣସି ମାଗାଜିନ୍ ପଢ଼ିଥାନ୍ତି ବୋଲି ଏହି ସର୍ଭେରୁ ଜଣାପଡିଛି। ସେହିଭଳି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏହି ସଂଖ୍ୟା ମାତ୍ର ୩୫% ରହିଛି।

ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ଦେଖିବାକୁ ଗଲେ ଏହି ସଂଖ୍ୟା ଗୋଆରେ ୫୯%, ମହାରାଷ୍ଟ୍ରରେ ୪୦%, କର୍ଣ୍ଣାଟକରେ ୪୩%, ତାମିଲନାଡୁରେ ୩୪%, ଆନ୍ଧ୍ରପ୍ରଦେଶରେ ୩୫%, ତେଲେଙ୍ଗାନାରେ ୪୨%, ଛତିଶଗଡରେ ୨୫%, ପଶ୍ଚିମବଙ୍ଗରେ ୧୭%, ଗୁଜରାଟରେ ୩୩%, ରାଜସ୍ଥାନରେ ୩୫%, ମଧ୍ୟପ୍ରଦେଶରେ ୨୩%, ବିହାରରେ ୨୯%, ଝାଡ଼ଖଣ୍ଡରେ ୨୮%, ଉତ୍ତରପ୍ରଦେଶରେ ୩୦%, ପଞ୍ଜାବରେ ୧୬%, ହରିୟାଣାରେ ୨୯%, ଉତ୍ତରାଖଣ୍ଡରେ ୨୫%, ହିମାଚଳ ପ୍ରଦେଶରେ ୩୩%, ଜମ୍ମୁ-କାଶ୍ମୀରରେ ୩୨%, ଲଦାଖରେ ୪୩% ରହିଛି।

Related Posts