ଭୁବନେଶ୍ଵର,୪/୩(ସତ୍ୟପାଠ ବ୍ୟୁରୋ): କୋଟିଆ ବିବାଦରେ ଆନ୍ଧ୍ରକୁ ସମନ୍। ଆନ୍ଧ୍ର ସରକାରଙ୍କ ସହ କେନ୍ଦ୍ର ସରକାରଙ୍କୁ ମଧ୍ୟ ସମନ କରିଛନ୍ତି ସୁପ୍ରିମକୋର୍ଟ। ୨୮ ଦିନ ଭିତରେ ହାଜର ହୋଇ କୋଟିଆ ମାମଲାରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।ଅଦାଲତଙ୍କ ଆଦେଶର ୨୮ ଦିନ ମଧ୍ୟରେ ଆନ୍ଧ୍ର ସରକାର ଏହି ମାମଲା ଉପରେ ସମସ୍ତ ଡକ୍ୟୁମେଣ୍ଟ୍ ସହ ଜବାବ ରଖିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ବିବାଦୀୟ କୋଟିଆ ଗ୍ରାମପୁଞ୍ଜକୁ ନେଇ ଦୀର୍ଘବର୍ଷ ଧରି ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗି ରହିଛି । ସମ୍ବିଧାନର ଧାରା ୧୩୧ ଅନୁସାରେ କୋଟିଆ ମାମଲା ବିଚାରଯୋଗ୍ୟ ନୁହେଁ ବୋଲି ୨୦୦୬ ମସିହାରେ ସୁପ୍ରିମ୍କୋର୍ଟ ମତବ୍ୟକ୍ତ କରିବା ସହ ଓଡ଼ିଶା ସରକାରଙ୍କ ଆବେଦନକୁ ଖାରଜ କରିଥିଲେ । ଏଥିସହ ଉଭୟ ରାଜ୍ୟ କୋଟିଆରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସୁପ୍ରିମ୍କୋର୍ଟଙ୍କ କଟକଣା ସତ୍ତ୍ୱେ ୨୦୨୦-୨୧ରେ ଆନ୍ଧ୍ରପ୍ରଦେଶ ସରକାର ଉକ୍ତ ଅଞ୍ଚଳରେ ତ୍ରିସ୍ତରୀୟ ନିର୍ବାଚନ କରିଥିଲେ । ଯାହାକୁ ନେଇ ଓଡ଼ିଶା ସରକାର ସୁପ୍ରିମ୍କୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ ।
ଅପରପକ୍ଷରେ ୨୦୦୬ ମସିହାରେ ସୁପ୍ରିମ୍କୋର୍ଟ ଦେଇଥିବା ଆଦେଶ ବିରୋଧରେ ଓଡ଼ିଶା ସରକାର ସୁପ୍ରିମ୍କୋର୍ଟରେ ମଧ୍ୟ ଅପିଲ୍ କରିଥିଲେ । ସମ୍ବିଧାନର ୧୩୧ ଧାରାକୁ ଉଚ୍ଛେଦ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଛି । ଏହି ପିଟିସନ୍ ଆଧାରରେ ସୁପ୍ରିମ୍କୋର୍ଟ ପକ୍ଷରୁ ଆନ୍ଧ୍ର ସରକାରଙ୍କୁ ନୋଟିସ୍ କରାଯାଇଛି । ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ସୁପ୍ରିମ୍କୋର୍ଟ ରେଜିଷ୍ଟ୍ରି ଏହି ସମନ୍ ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ଏହି ମାମଲାକୁ ଶିବୋ ଶଙ୍କର ମିଶ୍ର ପରିଚାଳନା କରୁଛନ୍ତି ।





