ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ସର୍ବନିମ୍ନ ବୟସ ୬ ବର୍ଷ; ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୩/୨(ସତ୍ୟପାଠ ବ୍ୟୁରୋ): ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ସର୍ବନିମ୍ନ ବୟସ ୬ ବର୍ଷ ହେଉ। ନୂଆ ଜାତୀୟ ଶିକ୍ଷା ନୀତି ଆଧାରରେ କେନ୍ଦ୍ରଶିକ୍ଷା ମନ୍ତ୍ରାଳୟ ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜାତୀୟ ଶିକ୍ଷାନୀତିକୁ ଲାଗୁ କରିଛନ୍ତି ସେମାନେ ଏହାକୁ ଲାଗୁ କରିବେ ଏବଂ ଯେଉଁ ସରକାର ଲାଗୁ କରିନାହାନ୍ତି ସେମାନଙ୍କୁ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର।

ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ପିଲାଙ୍କ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ବା ପୌଢ଼ ପାଠ୍ୟକ୍ରମରେ ଦୁଇ ବର୍ଷିଆ ପାଠ୍ୟକ୍ରମର ଡିଜାଇନ୍ ଓ ପରିଚାଳନା ପ୍ରକ୍ରିୟା ଆରମ୍ଭ କରିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ଅନୁରୋଧ କରିଛନ୍ତି।

ସାଧାରଣତଃ ୩-୬ ବର୍ଷ ବୟସ ଶିଶୁର ମେଧାଶକ୍ତି ବିକଶିତ ହେବାର ଗୁରୁତ୍ୱପୂର୍ଣ୍ଣ ସମୟ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହା କେବଳ ଅଙ୍ଗନବାଡି କିମ୍ବା ସରକାରୀ/ସରକାରୀ ଅନୁଦାନପ୍ରାପ୍ତ, ଘରୋଇ ଓ ଅଣ ସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ ପ୍ରାକ୍ ବିଦ୍ୟାଳୟ କେନ୍ଦ୍ରରେ ଅଧ୍ୟୟନ କରୁଥିବା ସମସ୍ତ ପିଲାଙ୍କ ପାଇଁ ୩ ବର୍ଷର ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ଦ୍ୱାରା ଏହା ସମ୍ଭବ ହୋଇପାରିବ।

କେନ୍ଦ୍ରୀୟ ବିଦ୍ୟାଳୟ ବ୍ୟତୀତ ଅନେକ ରାଜ୍ୟରେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ସର୍ବନିମ୍ନ ବୟସ ସୀମା ୬ ବର୍ଷ ଧାର୍ଯ୍ୟ ହୋଇସାରିଥିବା ବେଳେ କେତେକ ରାଜ୍ୟରେ ଏହାକୁ ୫ କିମ୍ବା ୫.୫ ବର୍ଷ ରଖାଯାଇଛି।

ନୂଆ ଜାତୀୟ ଶିକ୍ଷା ନୀତି ଅନୁଯାୟୀ, ପ୍ରାଥମିକ ପର୍ଯ୍ୟାୟରେ ସମସ୍ତ ପିଲାଙ୍କ ପାଇଁ ପାଞ୍ଚ ବର୍ଷର ଶିକ୍ଷା ସୁଯୋଗ ରହିଛି। ଯାହା ୩ ରୁ ୮ ବର୍ଷ ମଧ୍ୟରେ ରହିଛି। ଯେଉଁଥିରେ ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀ ପରେ ତିନି ବର୍ଷର ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଅନ୍ତର୍ଭୁକ୍ତ। ଏହି ଶିକ୍ଷା ନୀତିରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା ପ୍ରତି ଗୁରୁତ୍ୱାରୋପ କରାଯାଇଛି ।

Related Posts