ଭୁବନେଶ୍ୱର:ରାଜ୍ୟର ଖଣିଜ ସମ୍ପଦକୁ ଆର୍ଥିକ ଉନ୍ନତିର ମୂଳ ଭିତ୍ତି କରିବା ପାଇଁ ଓଡିଶା ସରକାର ଆଗାମୀ ଦିନରେ ୩୪ଟି ଖଣି ନିଲାମ କରିବାକୁ ଯୋଜନା କରିଛନ୍ତି। ଏହି ଖଣିଗୁଡ଼ିକରେ ଲୁହାପଥର, ବକ୍ସାଇଟ୍, ମାଙ୍ଗାନିଜ, ଚୂନପଥର, ତମ୍ବା ସହ ଗୁରୁତ୍ୱପୂର୍ଣ୍ଣ ଓ କ୍ରିଟିକାଲ୍ ମିନେରାଲ୍ ଓ ସୁନା ଖଣି ସମ୍ମିଳିତ ଅଛି।ଏହି ଖଣିଗୁଡ଼ିକ ମାଲକାନଗିରି, ସୁବର୍ଣ୍ଣପୁର, କଳାହାଣ୍ଡି, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ, ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ଅବସ୍ଥିତ। ଏଥିରୁ ୨୫ଟି ଖଣିକୁ ରାଜ୍ୟ ସରକାର ଓ ୯ଟିକୁ କେନ୍ଦ୍ର ସରକାର ନିଲାମ କରିବେ।ଖଣି ଓ ଖଣିଜ (ବିକାଶ ଓ ନିୟମନ) ନିୟମ ୨୦୧୫ ଅନୁସାରେ ୫୦ ବର୍ଷର ଲିଜ୍ ଅବଧି ସହିତ ଏହି ନିଲାମ ପ୍ରକ୍ରିୟା ଚାଲିବ। ରିପୋର୍ଟ ଅନୁସାରେ, ଏଥିରୁ ୨୫ଟି ପ୍ରମୁଖ ଖଣିଜ ଓ ୯ଟି କ୍ରିଟିକାଲ୍ ମିନେରାଲ୍ ଖଣି ଅଛି।ବିଧାନସଭାରେ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ସୂଚନା ଦେଇ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ସୁନା, ହୀରା ଓ ମାଣିକ ଖଣି ଠାବ କରାଯାଇଛି। ମୟୂରଭଞ୍ଜର ମଦନସାହି-କାଞ୍ଜିଆ ଓ କେନ୍ଦୁଝରର ଜଳଡିହରେ ସୁନା ଖଣି ନିଲାମ ପାଇଁ ଯୋଜନା ହୋଇଛି। ଏହା ସହ ଦେବଗଡ଼ର ଅଡସ-ରାମପଲ୍ଲୀରେ ଥିବା ସୁନା ଖଣିକୁ ମଧ୍ୟ ନିଲାମ କରାଯିବ।ତା ସହିତ ନୟାଗଡ଼, ରାୟଗଡ଼ା ଓ ବଲାଙ୍ଗୀରରେ ଗ୍ରାଫାଇଟ୍, ବଲାଙ୍ଗୀରରେ ଭାନାଡିୟମ, ଦେବଗଡ଼ରେ ସୁନା ଓ ମାଲକାନଗିରିରେ ଟିଣ ଖଣି ନିଲାମ ପାଇଁ ରହିଛି।୨୦୨୩ ପରେ ରାଜ୍ୟରେ ଖଣି ନିଲାମ ପ୍ରକ୍ରିୟା ବନ୍ଦ ଥିବାବେଳେ, ବର୍ତ୍ତମାନ ସରକାର ପୁନର୍ବାର ଏହାକୁ ତେଜ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ୩୦ଟି ଖଣି ପ୍ରସ୍ତୁତ ହୋଇଥିବା ବେଳେ ୮ଟି ନିଲାମ ସମ୍ପନ୍ନ ହୋଇଛି, ୧୨ଟି ଚାଲୁ ଅବସ୍ଥାରେ ଓ ଶୀଘ୍ର ଆଉ ୧୦ଟି ନିଲାମ ହେବ।ଏହି ନିଲାମ ପ୍ରକ୍ରିୟା ରାଜ୍ୟର ଶିଳ୍ପ ବିକାଶକୁ ନୂତନ ଗତି ଦେବା ସହ ନିଯୁକ୍ତି ସୃଷ୍ଟି ଓ ଆର୍ଥିକ ଆୟ ବୃଦ୍ଧିରେ ମୁଖ୍ୟ ଭୂମିକା ନେବ ବୋଲି ଆଶା କରାଯାଉଛି।





