ଦେଶର ୫୦୮ଟି ରେଳ ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ କଲେ ମୋଦି, ଓଡ଼ିଶାର ୨୫ ଷ୍ଟେସନ ସାମିଲ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶର ୫୦୮ଟି ରେଳ ଷ୍ଟେସନର ବଦଳିବ ରୂପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭର୍ଚୁଆଲ ମାଧ୍ୟମରେ ସାରା ଦେଶରେ ୫୦୮ଟି ରେଳ ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ କରିଛନ୍ତି । ଏହାରି ମଧ୍ୟରେ ଓଡ଼ିଶାର ୨୫ଟି ଷ୍ଟେସନ ମଧ୍ୟ ରହିଛି । ଅମୃତ ଭାରତ ଷ୍ଟେସନ ଯୋଜନା ଅଧିନରେ ଏହିସବୁ ଷ୍ଟେସନର ରୂପାନ୍ତରଣ କରାଯିବ । ଏଥିପାଇଁ ୨୫ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ୨ ବର୍ଷ ମଧ୍ୟରେ ରୂପାନ୍ତରଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଆଜି ଦିନ ୧୧ଟାରେ ଭିଡିଓ କନଫରେନ୍ସିଂ ଯୋଗେ ପ୍ରଧାନମନ୍ତ୍ରୀ ମୋଦି ପୁନର୍ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ମଧ୍ୟ ସାମିଲ ହୋଇଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଯେ, ଭାରତୀୟ ରେଳ ଇତିହାସରେ ନୂଆ ଅଧ୍ୟାୟର ସୃଷ୍ଟି ହୋଇଛି । ଆଜିଠୁ ସାରା ଦେଶରେ ୫୦୮ଟି ଷ୍ଟେସନର ରୂପାନ୍ତରଣ ହେବ । ଏହାଦ୍ବାରା ଯାତ୍ରୀମାନେ ଅତ୍ୟାଧୁନିକ ସୁବିଧା ପାଇବେ । ପୁରା ବିଶ୍ବର ନଜର ଏବେ ଭାରତ ଉପରେ ରହିଛି । ଦେଶରେ ଅତ୍ୟାଧୁନିକ ଟ୍ରେନ ସଂଖ୍ୟା ବୃଦ୍ଧି ପାଉଛି । ଗତ ୯ ବର୍ଷ ମଧ୍ୟରେ ରେଲୱେରେ ରେକର୍ଡ ନିବେଶ ହୋଇଛି । କିଛି ବର୍ଷରେ ଭାରତର ସବୁ ଟ୍ରେନ ବିଜୁଳିରେ ଚାଲିବ । ଉତ୍ତର ପୂର୍ବ ରାଜ୍ୟରେ ରେଲୱେର ବିସ୍ତାର ପାଇଁ ଗୁରୁତ୍ବ ଦିଆଯାଇଛି । ୨୦୩୦ ସୁଦ୍ଧା ରେଲୱେର ନେଟ୍ ଜିରୋ ଏମିସନ ଲକ୍ଷ୍ୟ ପୂରଣ ହେବ ବୋଲି ମୋଦି କହିଛନ୍ତି ।

ସୂଚନା ଅନୁଯାୟୀ, ଦେଶର ୨୭ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୦୮ଟି ଷ୍ଟେସନର ଅମୃତ ଭାରତ ଷ୍ଟେସନ ଯୋଜନା ଅଧିନରେ ପୁନର୍ବିକାଶ କରାଯିବ । ଏଥିମଧ୍ୟରୁ ଓଡି଼ଶାର ୨୫ଟି ଷ୍ଟେସନ ଥିବାବେଳେ ଉତ୍ତର ପ୍ରଦେଶ ଓ ରାଜସ୍ଥାନର ୫୫ଟି, ବିହାରର ୪୯ଟି, ମହାରାଷ୍ଟ୍ରର ୪୪, ପଶ୍ଚିମବଙ୍ଗର ୩୭, ମଧ୍ୟପ୍ରଦେଶର ୩୪, ଆସାମର ୩୨, ପଞ୍ଜାବର ୨୨, ଗୁଜୁରାଟ ଓ ତେଲେଙ୍ଗାନାର ୨୧, ଝାଡଖଣ୍ଡରେ ୨୦, ଆନ୍ଧ୍ର ଓ ତାମିଲନାଡୁରେ ୧୮, ହରିୟାଣାରେ ୧୫ ଏବଂ କର୍ଣ୍ଣାଟକର ୧୩ଟି ଷ୍ଟେସନ ଅନ୍ତର୍ଭୁକ୍ତ । ଏଥିରେ ଯାତ୍ରୀମାନଙ୍କ ସୁବିଧା ଲାଗି ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ଦ୍ବାର, ମଲ୍ଟି ଲେବଲ ପାର୍କିଂ, ଲିଫ୍ଟ, ଏସ୍କାଲେଟର, ଟ୍ରାଭେଲେଟର, ଏକଜିକ୍ୟୁଟିଭ ଲାଉଞ୍ଜ, ୱେଟିଂ ଏରିଆ, ଦିବ୍ୟାଙ୍ଗଙ୍କ ଅନୁକୂଳ ସୁବିଧା ରହିବ । ଏହାସହିତ ଷ୍ଟେସନ ଗୁଡିକରେ ପୌରାଣିକ ଓ ସାଂସ୍କୃତିକ ଛାପ ଦିଆଯିବ ।

ତେବେ ଓଡ଼ିଶାର ଅନୁଗୋଳ, ବଲାଙ୍ଗୀର, ବାଲୁଗାଁ, ବାରିପଦା, ବରପାଲି, ବଡବିଲ, ଛତ୍ରପୁର, ଦାମନଜୋଡି, ବରଗଡ ରୋଡ, ଖରିଆର ରୋଡ, ହରିଶଙ୍କର ରୋଡ, ହୀରାକୁଦ, ଜଳେଶ୍ବର, କଣ୍ଟାବାଞ୍ଜି, ଢେଙ୍କାନାଳ, ଖୋର୍ଦ୍ଧା ରୋଡ ଜଙ୍କସନ, ଲିଙ୍ରାଜ ଟେମ୍ପଲ ରୋଡ, ମଞ୍ଚେଶ୍ବର, ମେରାମଣ୍ଡଳି, ମୁନିଗୁଡା, ତାଳଚେର ରୋଡ, ସାକ୍ଷୀଗୋପାଳ, ରାଜଗାଙ୍ଗପୁର, ରେଢାଖୋଲ ରେଳ ଷ୍ଟେସନର ପୁନର୍ବିକାଶ ହେବାକୁ ଯାଉଛି।

Related Posts