ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ପୁଣେ ଗସ୍ତରେ ଯାଇଛନ୍ତି | ମିଳିଥିବା ସୂଚନା ମୁତାବକ ଆଜି ପ୍ରଧାନମନ୍ତ୍ରୀ ବିମାନବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଅଜିତ ପାୱାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱାଗତ କରିଥିଲେ | ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣେର ଦାଗଦୁଶେଠ ମନ୍ଦିରରେ ଦର୍ଶନ ଏବଂ ପୂଜାର୍ଚ୍ଚନା କରିଥିଲେ। ଏହାପରେ ପ୍ରଧାନମନ୍ତ୍ରୀ ତିଲକ ସ୍ମାରକ ମନ୍ଦିର ଟ୍ରଷ୍ଟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଶରଦ ପାୱାର ମଧ୍ୟ ନଜର ଆସିଥିଲେ | ଉଭୟ ନେତା ବେଶ କିଛି ସମୟ ପାଇଁ ହାଲକା ମୁଡ଼ରେ ପରସ୍ପର ସହ କଥା ହୋଇଥିଲେ |
ଉଲ୍ଲେଖ ଥାଉ କି ଚଲିତବର୍ଷ ପ୍ରଧାନମନ୍ତ୍ରୀଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯିବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ମୋ ପାଇଁ ଏକ ସ୍ମରଣୀୟ ମୂହୁର୍ତ୍ତ | ମୁଁ ଏହି ସମ୍ମାନକୁ ଦେଶର କୋଟି କୋଟି ଲୋକମାନଙ୍କ ନିକଟରେ ଉତ୍ସର୍ଗ କରୁଛି। ଆଜି ମୋ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ମୁଁ ଏଠାକୁ ଆସି ଯେତିକି ଉତ୍ସାହିତ, ସେତିକି ଭାବୁକ ମଧ୍ୟ ହୋଇପଡିଛି | ଆଜି ମଧ୍ୟ ବାଲ ଗଙ୍ଗାଧର ତିଲକ ଜୀ ଙ୍କ ମୃତ୍ୟୁବାର୍ଷିକୀ ଏହା ସହ ଆଜି ମଧ୍ୟ ଆନ୍ନା ଭାଉ ସାଠେ ଜୀ ଙ୍କ ଜନ୍ମବାର୍ଷିକୀ। ଲୋକମାନ୍ୟ ତିଲକ ଜୀ ଆମର ସ୍ୱାଧୀନତା ଇତିହାସର କପାଳର ତିଲକ ହୋଇଥିବାବେଳେ ସାମାଜିକ ସଂସ୍କାର ପାଇଁ ଆନ୍ନା ଭାଉଙ୍କର ଯେଉଁ ଅବଦାନ ରହିଛି ତାହା ଅନନ୍ୟ ଓ ଅସାଧାରଣ | ମୁଁ ଏହି ଦୁଇ ମହାପୁରୁଷଙ୍କ ପାଦ ତଳେ ପ୍ରଣାମ ଜଣାଉଛି | ମୁଁ ୧୪୦ କୋଟି ଦେଶବାସୀଙ୍କୁ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର ଉତ୍ସର୍ଗ କରିଛି। ବ୍ରିଟିଶମାନେ ଏକ ଧାରଣା ଦେଇଥିଲେ ଯେ ଭାରତର ସଂସ୍କୃତି, ବିଶ୍ୱାସ, ଏସବୁ ପଛୁଆବର୍ଗର ପ୍ରତୀକ, କିନ୍ତୁ ତିଲକ ଜୀ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି | ସେଥିପାଇଁ ଭାରତର ଲୋକମାନେ କେବଳ ଆଗକୁ ଆସି ତିଲକ ଜୀଙ୍କୁ ସ୍ୱୀକୃତି ଦେଇନାହାଁନ୍ତି, ବରଂ ତାଙ୍କୁ ଲୋକମାନ୍ୟ ଆଖ୍ୟା ମଧ୍ୟ ଦେଇଥିଲେ ବୋଲି ମୋଦି କହିଛନ୍ତି।
ସୂଚନାଯୋଗ୍ୟ ଯେ, ଲୋକମାନ୍ୟ ତିଲକଙ୍କ ଉତ୍ତରାଧିକାରୀଙ୍କୁ ସମ୍ମାନ ଜଣାଇବା ପାଇଁ ୧୯୮୩ ମସିହାରେ ତିଲକ ସ୍ମାରକ ମନ୍ଦିର ଟ୍ରଷ୍ଟ ଦ୍ୱାରା ଏହି ପୁରସ୍କାର ଗଠନ କରାଯାଇଥିଲା । ଜାତିର ପ୍ରଗତି ଏବଂ ବିକାଶ ପାଇଁ ଉଲ୍ଲେଖନୀୟ ଏବଂ ଅସାଧାରଣ ଭାବରେ କାର୍ଯ୍ୟ କରିଥିବା ଏବଂ ଅବଦାନ ରଖିଥିବା ଲୋକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ । ଏହା ପ୍ରତିବର୍ଷ ଅଗଷ୍ଟ ୧ ରେ ଲୋକମାନ୍ୟ ତିଲକଙ୍କ ମୃତ୍ୟୁ ବାର୍ଷିକୀରେ ପ୍ରଦାନ କରାଯାଏ । ପ୍ରଧାନମନ୍ତ୍ରୀ ପୁରସ୍କାରର ୪୧ତମ ଗ୍ରହଣକାରୀ ହୋଇଛନ୍ତି । ଏହା ପୂର୍ବରୁ ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ଶଙ୍କର ଦୟାଲ ଶର୍ମା, ଶ୍ରୀ ପ୍ରଣବ ମୁଖାର୍ଜୀ, ଶ୍ରୀ ଅଟଳ ବିହାରୀ ବାଜପେୟୀ, ଶ୍ରୀମତୀ ଇନ୍ଦିରା ଗାନ୍ଧୀ, ଡକ୍ଟର ମନମୋହନ ସିଂହ, ଶ୍ରୀ ଏନ ଆର ନାରାୟଣ ମୁର୍ତ୍ତୀ, ଡକ୍ଟର ଇ ଶ୍ରୀଧରନ୍ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।





