ଆସନ୍ତାବର୍ଷ ମୋଦି ତାଙ୍କ ଘରେ ପତାକା ଉତ୍ତୋଳନ କରିବେ: ମଲ୍ଲିକାର୍ଜୁନ ଖଡ଼ଗେ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ୭୭ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ତାଙ୍କ ସରକାର ଆସିବା ନେଇ ପରୋକ୍ଷରେ ଦୃଢୋକ୍ତି ଦେଖାଇଥିଲେ | ସେ କହିଥିଲେ ଯେ ଆସନ୍ତାବର୍ଷ ପୁଣି ଲାଲକିଲ୍ଲାରେ ଦେଖା ହେବ। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛି କଂଗ୍ରେସ। ଏହା ତାଙ୍କର ଅହଙ୍କାର ବୋଲି କଂଗ୍ରେସ କହିଥିବା ବେଳେ ଆସନ୍ତା ବର୍ଷ ସେ ତାଙ୍କ ଘରେ ପତାକା ଉଡ଼ାଇବେ ବୋଲି କହିଛି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ସେ (ପ୍ରଧାନମନ୍ତ୍ରୀ ମୋଦି) ଆସନ୍ତା ବର୍ଷ ପତାକା ଉଡ଼ାଇବେ, କିନ୍ତୁ ତାଙ୍କ ଘରେ। ତାଙ୍କୁ ଜିତାଇବା ଅବା ହରାଇବା କ୍ଷମତା କେବଳ ଭୋଟରଙ୍କ ହାତରେ ରହିଛି। ୨୦୨୪ରେ ସେ ପୁଣିଥରେ ଲାଲକିଲ୍ଲାରେ ପତାକା ଉଡ଼ାଇବେ ବୋଲି କହିବା, କେବଳ ତାଙ୍କର ଅହଙ୍କାର।

ପ୍ରଧାନମନ୍ତ୍ରୀ ମୋଦି ଆଜି ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରୁଥିବା ବେଳେ କହିଥିଲେ ଯେ ଦେଶ କ’ଣ ସବୁ ହାସଲ କରିଛି, ତା’ର ଏକ ତାଲିକା ସେ ଆସନ୍ତା ବର୍ଷ ସ୍ୱାଧୀନତା ଦିବସରେ ଲାଲକିଲ୍ଲାରେ ଉପସ୍ଥାପନ କରିବେ।

ସେପଟେ ଆଜି ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହରେ ମଲ୍ଲିକାର୍ଜୁନ ଖଡ଼ଗେ ଅନୁପସ୍ଥିତ ରହିଥିଲେ। ଆଖିରେ କିଛି ସମସ୍ୟା ଦେଖା ଦେବାରୁ ସେ ଅନୁପସ୍ଥିତ ରହିଥିଲେ ବୋଲି ଜଣାପଡ଼ିଛି। ତେବେ ତାଙ୍କ ପାଇଁ ଉଦ୍ଦିଷ୍ଟ ଚୌକି ଖାଲି ପଡ଼ିଥିଲା।

Related Posts