ମୋଦିଙ୍କ ୫ ଟ୍ରିଲିୟନ ଡଲାର ଜିଡିପିର ସ୍ୱପ୍ନ ପୂରଣ ହେବା କଷ୍ଟକର: ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ବିରୋଧରେ ନିର୍ଭିକଭାବରେ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ପୁଣିଥରେ ଲାଇମ ଲାଇଟକୁ ଆସିଛନ୍ତି । ତେବେ ଏଥର କେନ୍ଦ୍ର ସରକାରଙ୍କ ଆର୍ଥିକ ନୀତି ଉପରେ ପ୍ରଶ୍ନ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜିଡିପିର ୫ ଟ୍ରିଲିୟନ ଡଲାରର ସ୍ୱପ୍ନକୁ ପୂରଣ କରିବା ଅଧିକ କଷ୍ଟସାଧ୍ୟ ବୋଲି ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି। କେବଳ ଏତିକି ନୁହେଁ ବରଂ ତଥ୍ୟକୁ ସୂଚାଇ ସେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କାହିଁକି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରୁନାହିଁ ? ବୋଲି ତଥ୍ୟକୁ ସୁଚାଇ ସ୍ୱାମୀ ପ୍ରଶ୍ନ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ସ୍ୱାମୀ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସେପଟେ ଆମର ଜିଡିପି ସପ୍ତାହରେ ୩ ଟ୍ରିଲିୟନ ଡଲାରରୁ ୨.୯ ଟ୍ରିଲିୟନ ଡଲାରକୁ ଖସି ଆସିଛି। ବୈଦେଶିକ ମୁଦ୍ରା ମୂଲ୍ୟ ମଧ୍ୟ ୭୫ ରୁ ୭୭ କୁ ବୃଦ୍ଧି ପାଇଛି। ଯଦି ଏହା ୮୦ ରେ ପହଞ୍ଚେ ତାହାଲେ ଜିଡିପି ମଧ୍ୟ ୨.୮ ଟ୍ରିଲିୟନ ଡଲାର ହେବ। ଏଭଳି ପରିସ୍ଥିତିରେ ଆମର ୫ ଟ୍ରିଲିୟନ ଡଲାରର ଲକ୍ଷ୍ୟ ପୂରଣ କରିବା କଷ୍ଟକର ହେବ । ଆମର ବୈଦେଶିକ ମୁଦ୍ରା ଭଣ୍ଡାର ମଧ୍ୟ ୬୪୦ ବିଲିୟନ ଡ଼ଲାରରେ ଛିଡା ହୋଇଛି । ଏଭଳି ପରିସ୍ଥିତିରେ ରିଜର୍ଭ ବ୍ୟାଙ୍କ ଏଥିରେ ହସ୍ତକ୍ଷେପ କରିବା ଉଚିତ। ସେ କାହିଁକି ଦେଉନାହାଁନ୍ତି? ବୋଲି ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ଏହାପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ନିଜ ସରକାରକୁ ଘେରି ପ୍ରଶ୍ନ କରୁଥିବା ବିଜେପି ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ । ତେବେ କିଛି ଦିନ ପୂର୍ବେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଟ୍ୱିଟ୍ କରି କହିଥିଲେ ଯେ, ମୋଦୀ ସରକାର ଅର୍ଥନୀତି ଏବଂ ବୈଦେଶିକ ନୀତିରେ ବିଫଳ ହେଉଛନ୍ତି। ଏନେଇ ସେ ସରକାରଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ବୋଲି କହିଥିଲେ । କେବଳ ଏତିକି ନୁହେଁ ବରଂ କିଛି ମାସ ପୂର୍ବରୁ ସ୍ୱାମୀ ଟ୍ୱିଟ କରି ମୋଦୀ ସରକାରଙ୍କ ରିପୋର୍ଟ କାର୍ଡ ପ୍ରକାଶ କରିଥିଲେ। ଏଥିରେ ସେ ଲେଖିଛନ୍ତି, “ମୋଦୀ ସରକାରଙ୍କ ରିପୋର୍ଟ କାର୍ଡ – ଅର୍ଥନୀତିରେ ବିଫଳ, ସୀମା ନିରାପତ୍ତାରେ ବିଫଳ, ଆଫଗାନିସ୍ତାନରେ ବୈଦେଶିକ ନୀତିରେ ବିଫଳ, ଜାତୀୟ ସୁରକ୍ଷା ସମ୍ବନ୍ଧରେ ପେଗାସସ ମାମଲା, କାଶ୍ମୀରର ଆଭ୍ୟନ୍ତରୀଣ ନିରାପତ୍ତାରେ ନିରାଶ, ଏସବୁ ପାଇଁ କିଏ ଦାୟୀ? ବୋଲି ପ୍ରଶ୍ନ କରିଥିଲେ । ଆଉ ବର୍ତ୍ତମାନ ଦେଶର ଜିଡିପିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି ।

Related Posts