ରତ୍ନଭଣ୍ଡାର ପ୍ରସଙ୍ଗରେ ପୁଣି ମୋଦିଙ୍କ ଟାର୍ଗେଟ; କହିଲେ, ‘ଲୋକେ କହୁଛନ୍ତି ତାମିଲନାଡୁ ପଳାଇଛି ରତ୍ନଭଣ୍ଡାର ଚାବି’

ଭୁବନେଶ୍ୱର,୨୦/୫(ସତ୍ୟପାଠ ବ୍ୟୁରୋ):  ଅନୁଗୁଳ ପରେ କଟକରେ ବର୍ଷିଲେ ମୋଦି। କଟକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀଙ୍କ କଡ଼ା ମନ୍ତବ୍ୟ। ରତ୍ନଭଣ୍ଡାର ଚାବି ନେଇ କଡ଼ା ମନ୍ତବ୍ୟ ଦେଲେ ପ୍ରଧାନମନ୍ତ୍ରୀ। କହିଲେ, ଲୋକ କହୁଛନ୍ତି ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳାଇଛି। ରତ୍ନଭଣ୍ଡାର ଚାବି ତାମିଲନାଡୁ କିଏ ନେଇ ଯାଇଛି ବୋଲି ପ୍ରଶ୍ନ କଲେ। ଶ୍ରୀମନ୍ଦିର ଓଡ଼ିଶାବାସୀଙ୍କ ଭାବାବେଗ ସହ ଜଡ଼ିତ ଥିବାରୁ ମୋଦି ରତ୍ନ ଭଣ୍ଡାର ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଛନ୍ତି।

ଗତ ଥର ଓଡ଼ିଶା ଆସିବା ବେଳ ମଧ୍ୟ ଏହି ପ୍ରସଙ୍ଗ ଉପରେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଆଜି ମଧ୍ୟ ସମାନ ଢଙ୍ଗରେ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ମୋଦି କହିଛନ୍ତି, ଓଡ଼ିଶାବାସୀଙ୍କ ଭାବାବେଗ ସହ ଖେଳୁଥିବା ଲୋକଙ୍କୁ କ୍ଷମା ମିଳିବ ନାହିଁ । ଏଭଳି ଅବସ୍ଥାରେ ଯାଞ୍ଚ କମିଟି ରିପୋର୍ଟକୁ ଚାପି ଦିଆଯାଇଛି । ବାରମ୍ବାର ଦାବି ସତ୍ତ୍ୱେ ଏହାକୁ ସାର୍ବଜନୀନ କରାଯାଉନାହିଁ। ବିଜେପି ସରକାର ଆସିବା କ୍ଷଣି ଚାବିର ରାଜ୍‌ ଖୋଲିବ। ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ। ଯଦି କିଛି ଗଡ଼ବଡ଼ି ଥିବ, ମୋଦି କାହାକୁ ଛାଡ଼ିବ ନାହିଁ ବୋଲି କହିଛନ୍ତି।

ସେହିପରି, କଟକକୁ ଚାରିପଟୁ ନଦୀ ଘେରି ରହିଛି, କିନ୍ତୁ ଏଠି ପିଇବା ପାଣି ସମସ୍ୟା ରହିଛି। କାରଣ ଏଠିକା ସରକାର ପ୍ରକଳ୍ପକୁ ଅଟକାଇ ରଖିଛନ୍ତି । ବିଜେଡି ଗରିବଙ୍କୁ ନୂଆ ପକ୍କା ଘର ଦେବାରେ ଅନ୍ତରାୟ ସାଜୁଛି। ଗରିବଙ୍କୁ ହଇରାଣ କେବଳ ଶତ୍ରୁ ହିଁ କରିପାରେ ବୋଲି ମୋଦି କହିଛନ୍ତି। ତେବେ ଓଡ଼ିଶାରେ ଚାଲିଥିବା ଏ ଲୁଟତରାଜ ବନ୍ଦ ହେବା ଦରକାର। ଆପଣମାନଙ୍କ ଭୋଟ ହିଁ ଏ ଲୁଟତରାଜ ବନ୍ଦ କରିବ। ଆପଣଙ୍କ ଭୋଟ ହିଁ ଓଡ଼ିଶାର ଭାଗ୍ୟ ବଦଳାଇ ପାରିବ ବୋଲି ମୋଦି କହିଛନ୍ତି।

ବିଜେଡି ଭ୍ରଷ୍ଟାଚାର ପାଇଁ ଯୁବକମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଛି। ଜଣେ ମାଫିଆ ଅଛି ଯିଏ ପ୍ରତି ସେକ୍ଟର ଉପରେ କବ୍‌ଜା କରି ବସିଛି । ବିଜେଡି ନେତା ମାଫିଆଗିରିରେ ପୂରା ୨୪ ଘଣ୍ଟା ଲାଗିଛନ୍ତି । ଜୁନ୍‌ ୧୦ରେ ବିଜେପି ସରକାର ଆସିଲେ ଏ ମାଫିଆର ଅଣ୍ଟା ଭଙ୍ଗାଯିବ ବୋଲି କହିଛନ୍ତି। ଆମକୁ ଓଡ଼ିଶାରେ ନିବେଶ ଦରକାର, ନୂଆ ଉଦ୍ୟୋଗ ଦରକାର। ବିଜେପିର ତାକତ ଅଛି, ଏସବୁ ବିଜେପି ହିଁ କରିପାରିବ । ଓଡ଼ିଶାର ହେବାକୁ ଥିବା ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ସବୁ ସହଯୋଗ କରାଯିବ ବୋଲି ମୋଦି ପ୍ରତିଶ୍ରୁତି ଦେଇଛନ୍ତି।

Related Posts