ଭୁବନେଶ୍ୱର,୧୧/୫(ସତ୍ୟପାଠ ବ୍ୟୁରୋ): ଫୁଲବାଣୀ ବିଜୟ ସଂକଳ୍ପ ସମାବେଶରେ ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କାହିଁକି ରତ୍ନଭଣ୍ଡାର ଚାବି ଖୋଲାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାରର ମୂଲ୍ୟାୟନ ୪୫ବର୍ଷ ତଳେ ହୋଇଥିଲା।
ସେତେବେଳେ ରତ୍ନଭଣ୍ଡାରରେ ଏତେ ପରିମାଣରେ ଆଭୂଷଣ ଓ ରତ୍ନ ଥିଲା ଯେ ମୂଲ୍ୟାଙ୍କନ କରୁଥିବା ବ୍ୟକ୍ତିମାନେ ରତ୍ନଭଣ୍ଡାରକୁ ଅମୂଲ୍ୟ କହି ହାତ ଟେକି ଦେଇଥିଲେ। କିନ୍ତୁ ଗତ ୪୦ ବର୍ଷରୁ ଅଧିକ ସମୟ ହେଲାଣି ରତ୍ନଭଣ୍ଡାର ଖୋଲାଯାଇନାହିଁ। ଦେଶବାସୀ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାର ଚାବି ଗଲା ୬ ବର୍ଷ ହେଲାଣି ମିଳୁନି। ଏଭଳି ଅମୂଲ୍ୟ ଭଣ୍ଡାରର ଚାବି ବି ସରକାର ସମ୍ଭାଳି ପାରୁନାହାନ୍ତି। ଚାବି କୁଆଡ଼େ ଗଲା, ତାହା ଜାଣିବାର ଅଧିକାର ଲୋକଙ୍କର ଅଛି।
ମୋଦି ଆହୁରି କହିଥିଲେ, ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ ଚାବି ମିଳିଛି। ଡୁପ୍ଲିକେଟ ଚାବି କାହିଁକି ତିଆରି ହୋଇଥିଲା? ଡୁପ୍ଲିକେଟ ଚାବିରେ କେହି ରତ୍ନଭଣ୍ଡାର ଖୋଲୁ ନଥିଲେ ତ? କେହି ରତ୍ନ ନେଉ ନଥିଲେ ତ? ଚାବି ହଜିବା ଗମ୍ଭୀର ବିଷୟ। କିନ୍ତୁ ଡୁପ୍ଲିକେଟ ଚାବି ତା’ଠାରୁ ଅଧିକ ଗମ୍ଭୀର ବିଷୟ। କାହିଁକି ନବୀନ ବାବୁଙ୍କ ସରକାର ଏହି ପ୍ରସଙ୍ଗରୁ ପଳାୟନ କରୁଛି? ଏହା ପଛରେ ସରକାରଙ୍କ କି ଦୁର୍ବଳତା ରହିଛି? ରାଜ୍ୟ ସରକାର କାହା ପାପକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି? ରାତିରେ କେହି ରତ୍ନଭଣ୍ଡାର ଖୋଲୁଥିଲା କି? ଓଡ଼ିଶାରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ମର୍ଯ୍ୟାଦାକୁ ପୁଣି ପ୍ରତିଷ୍ଠା କରାଯିବ। ଏହା ମୋଦି ପ୍ରତିଶ୍ରୁତି ବୋଲି ସେ କହିଥିଲେ।





