ମନିଲଣ୍ଡରିଂ ଅଭିଯୋଗ; ମୋବାଇଲ କମ୍ପାନୀ ଭିଭୋର ଓଡ଼ିଶା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ଇଡିର ନୋଟିସ୍‌

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚାଇନା ପ୍ରମୁଖ ମୋବାଇଲ୍‌ କମ୍ପାନି ଭିଭୋ ଭାରତରେ ମନିଲଣ୍ଡରିଂ କରୁଥିଲା । କିଛି ମାସ ତଳେ ଏ ନେଇ ସାରା ଦେଶର ୪୫ଟି ସ୍ଥାନରେ ଚଢ଼ଉ ହୋଇଥିଲା । ଏହି ଘଟଣାର ଏକ ନୂଆ ତଥ୍ୟ ପଦାକୁ ଆସିଛି । ଭିଭୋ କମ୍ପାନୀର ଓଡ଼ିଶା ମୁଖ୍ୟ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏ ଡି ଚେନ୍‌ଙ୍କୁ ନୋଟିସ୍‌ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ।ସେ ଖୁବ୍‌ଶୀଘ୍ର ଇଡିରେ ହାଜର ହେବେ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ଭିଭୋ କମ୍ପାନୀର ସରକାରଙ୍କୁ ଚକମା ଦେଇ ଅନ୍ୟ ୨୪ଟି କମ୍ପାନୀ ଖୋଲି କୋଟି କୋଟି ଟଙ୍କା ଆୟକର ଫାଙ୍କୁଥିଲା । ମନିଂଲଣ୍ଡରିଂରେ ମଧ୍ୟ ସମ୍ପୂକ୍ତ ଥିଲା । ଏ ବିଷୟରେ କେହି କିଛି ଟେର ପାଉନଥିଲେ । ତା’ଛଡା ଜାଲ୍‌ କାଗଜପତ୍ର ବ୍ୟବହାର କରି ଦିଲ୍ଳୀ, ଗୁଜୁରାଟ ଓ ହିମାଞ୍ଚଳ ପ୍ରଦେଶରେ ବେପାର କରିବାକୁ ଯୋଜନା କରିଥିଲା । ଏ ନେଇ ୨୦୨୧ ଡିସେମ୍ବରରେ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟ (ଏମ୍‌ସିଏ) ଦିଲ୍ଳୀ ପୁଲିସ୍‌କୁ ଜଣାଇଥିଲେ । ଦିଲ୍ଲୀ ପୁଲିସ୍‌ର ତଦନ୍ତରେ ବିସ୍ଫୋକର ତଥ୍ୟ ମିଳିଥିଲା । ଏହାପରେ ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହାତକୁ ଯାଇଥିଲା । ୨୦୨୨ ଜୁଲାଇରେ ସାରା ଦେଶରେ ଚଢ଼ଉ ହୋଇଥିଲା । ଓଡ଼ିଶାରେ ରହୁଥିବା ଚାଇନା ନାଗରିକ ତଥା ଭିଭୋ କମ୍ପାନୀ ଓଡ଼ିଶାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏ ଡି ଚେନ୍‌ଙ୍କୁ ପଚରାଉଚରା କରି ଛାଡ଼ି ଦେଇଥିଲା । ହେଲେ ପରେ ଭିଭୋର ଅନ୍ୟ କର୍ମଚାରୀଙ୍କୁ ଜେରା କରିଥିଲା ଇଡି ।

ଏହି ସମୟର ଜଣାପଡିଥିଲା ଓଡ଼ିଶାରେ ଭିଭୋ କମ୍ପାନୀରେ କାମ କରୁଥିବା ଅଧିକାଂଶ କର୍ମଚାରୀଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲା । ଯାହା ବିଷୟରେ କୌଣସି କର୍ମଚାରୀ ଅବଗତ ନଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା ସମୟରେ ସେମାନେ ଏ ସବୁ ଜାଣି ଚକିତ ହୋଇଥିଲେ । ପ୍ରତି କର୍ମଚାରୀର ଅଜଣା ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କାର କାରବାର ହୋଇଥିବା ଜଣାପଡ଼ିଥିଲା ।

କର୍ମଚାରୀଙ୍କ ଜେରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏଡି ଚେନ୍‌ଙ୍କ ବାଲିଅନ୍ତା ଥାନା ହଂସପାଳ ଅଞ୍ଚଳରେ ଥିବା ଫ୍ଲାଟ୍‌ରେ ଚଢ଼ଉ କରି ବହୁ ତଥ୍ୟ ହାସଲ କରିଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାଣିବାକୁ ପାଇଥିଲା କିଛି ବର୍ଷ ତଳେ ଏଡି ଚେନ୍‌ ଭିଭୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଓଡ଼ିଶା ଆସିଥିଲେ । ଭୁବନେଶ୍ୱରରେ ଏକ ଭିଭୋ ସୋ ରୁମ୍‌ର ସେଲ୍‌ସ୍‌ରେ କାମ କରୁଥିବା ଜଗତସିଂହପୁରର ଓଡ଼ିଆ ଝିଅଙ୍କୁ ୨୦୧୯ରେ ବିବାହ କରିଥିଲେ । ଏହା ପରେ ଚାଇନା ଯୁବକ ଜଣଙ୍କ ତାଙ୍କ ପତ୍ନୀଙ୍କ ନାମରେ ୨ଟି କମ୍ପାନୀ, ୩ଟି ଫ୍ଲାଟ୍‌, କାର୍‌ ଓ ଜମି ମଧ୍ୟ କିଣିଥିଲେ । ଖାଲି ସେତିକି ନୁହେଁ ମନିଲଣ୍ଡରିଂରେ ମଧ୍ୟ ତାଙ୍କ ସମ୍ପୃକ୍ତିର ପ୍ରମାଣ ମିଳିଥିଲା । ତେବେ ଘଟଣାର ଅଧିକ ତଦନ୍ତ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କିଛି ଦିନ ତଳେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏଡି ଚେନ୍‌ଙ୍କୁ ପୁଣି ସମନ କରିଛି ।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଯେ, ୨୦୨୦ରେ ଏଡି ଚେନ୍‌ ନିଜର ଭିସା ଅବଧି ବଢ଼ାଇବାକୁ ଯୋଜନା କରିଥିଲେ । ଏହାପରେ ଅବଧି ନ ବଢ଼ାଇବାକୁ କମିଶନରେଟ୍‌ ପୁଲିସ୍‌ ହାଇଦ୍ରାବାଦରେ ଥିବା ଭିସା ସେଣ୍ଟରକୁ ଜଣାଇଥିଲେ । ହେଲେ ଏଡି ଚେନ୍‌ ଚଞ୍ଚକତା କରି ଦିଲ୍ଳୀରେ କାହାକୁ ଧରାଧରି କରି ଭିସା ଅବଧି ବଢ଼ାଇ ଦେଇଥିଲେ । ଏବେ ପ୍ରର୍ବତ୍ତନ ନିର୍ଦ୍ଦେଶାଳୟ ଏଡି ଚେନ୍‌ଙ୍କ ଆର୍ଥିକ କାରବାରର ଖୋଳତାଡ଼ କରୁଛି । କମ୍‌ ଦିନରେ ଏତେ କୋଟି ଟଙ୍କାର ମାଲିକ କେମିତି ହେଲେ ସେ ନେଇ ଯାଞ୍ଚ ଚାଲିଛି ।

Related Posts