ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ଠାରୁ ବିଧାନସଭା ବଜେଟ ଆରମ୍ଭ ହୋଇଛି । ଏହା ମଧ୍ୟରେ ଓଡ଼ିଶାର ରାଜ୍ୟପାଳ ଗଣେଶୀ ଲାଲ ନିଜର ଅଭିଭାଷଣ ରଖିଛନ୍ତି । ତେବେ ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଓ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଆମ ପାଇଁ ମୂଲ୍ୟବାନ୍। ୧୫ରୁ ଅଧିକ ବୃହତ ଯୋଜନା କାର୍ଯ୍ୟକାରୀ କରି ସ୍ୱାସ୍ଥ୍ୟସେବାରେ ଓଡିଶା ଅଦ୍ଭୁତପୂର୍ବ ଅଗ୍ରଗତି କରିଛି। ରାଜ୍ୟର ପ୍ରତି ଲୋକକୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଦିଆଯାଉଛି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜରିଆରେ ମାଗଣାରେ ସେବା ଦିଆଯାଉଛି। ଏହା ଜରିଆରେ ରାଜ୍ୟରେ ୯୬ଲକ୍ଷ ପରିବାର ଉପକୃତ ହେଉଛନ୍ତି । ୩୦ ଜିଲ୍ଲାକୁ ରେଳ ସଂଯୋଗ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ, ସଡ଼କ ନିର୍ମାଣ ଓ ପରିବହନ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟକ୍ରମ କରାଯାଉଛି। କରୋନା ମୁକାବିଲା ପାଇଁ ୫ କୋଟିରୁ ଅଧିକ ଟିକା ଦିଆଗଲାଣି, କରୋନା ଟେଷ୍ଟିଂ ପାଇଁ ବ୍ଲକ ସ୍ତରରେ ବି ବ୍ୟବସ୍ଥା କରାଯାଇଛି। କୋଭିଡ ସମୟରେ ୨୧ କୋଟି ଶ୍ରମଦିବସ ଜରିଆରେ ଲୋକଙ୍କୁ ରୋଜଗାର ଯୋଗାଇ ଦିଆଯାଇଛି। ଚାଷୀଙ୍କୁ ବିନା ସୁଧରେ ୫୦ ହଜାର ଟଙ୍କା ଯାଏ ଋଣର ବ୍ୟବସ୍ଥା କରାଯାଇଛି।
୨୦୨୦-୨୧ ବର୍ଷରେ ପ୍ରାୟ ୫୪ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀ ପରିବାରକୁ କାଳିଆ ଯୋଜନା ମାଧ୍ୟମରେ ସହାୟତା ଯୋଗାଇ ଦିଆଯାଇଥିବାବେଳେ ୨୦୨୧-୨୨ ବର୍ଷରେ ଡ଼ିସେମ୍ବର ୨୦୨୧ ସୁଦ୍ଧା ୫୭ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀ ପରିବାରକୁ ଏହି ସହାୟତା ଯୋଗାଇ ଦିଆଯାଇଛି। ୨୦୨୧-୨୦୨୨ ଆର୍ଥିକ ବର୍ଷ ପାଇଁ ୫୫୦୦ କୋଟି ଟଙ୍କାର ଅବକାରୀ ରାଜସ୍ୱ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩,୬୫୩ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି । ୨୦୨୧-୨୨ ବର୍ଷ ଅଧିକ ଖଣି ରାଜସ୍ୱ ସଂଗ୍ରହର ବର୍ଷ ଅଟେ। ଗତ ପାଞ୍ଚ ବର୍ଷ ମଧ୍ୟରେ ୨୦୨୦-୨୧ ପର୍ଯ୍ୟନ୍ତ ମୋଟ ଖଣି ରାଜସ୍ୱ ସଂଗ୍ରହ ୪୬,୩୪୭ କୋଟି ଟଙ୍କା ତୁଳନାରେ ଚଳିତ ବର୍ଷର ସଂଗ୍ରହ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ୩୧,୦୪୯ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଏକ ସର୍ବକାଳୀନ ରେକର୍ଡ ଅଟେ।
ଚଳିତ ଆର୍ଥିକ ବର୍ଷ ପାଇଁ ଲଘୁ ଖଣିଜ ପଦାର୍ଥରୁ ଧାର୍ଯ୍ୟ ବାର୍ଷିକ ୧,୩୦୦ କୋଟି ରାଜସ୍ୱ ଆଦାୟ ଲକ୍ଷ୍ୟରୁ ୪୪୮.୩୬ କୋଟି ଟଙ୍କା ଆଦାୟ କରାଯାଇଛି। ସେହିଭଳି ଏହି ଅବଧି ମଧ୍ୟରେ ୧,୭୬୫ କୋଟି ଟଙ୍କାର ମୋଟର ଯାନ ଟିକସ ଆଦାୟ ଲକ୍ଷ୍ୟ ଥିବାବେଳେ ୧,୧୧୭ କୋଟି ଟଙ୍କା ଆଦାୟ କରାଯାଇଛି ବୋଲି ରାଜ୍ୟପାଳ ଗଣେଶୀ ଲାଲ କହିଛନ୍ତି । ସେପଟେ ସିଡିଏସ୍ ବିପିନ ରାୱତଙ୍କ ସହ ଦିବଙ୍ଗତ ବିଧାନସଭାର ସଦସ୍ୟ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ସମେତ ୯ ଜଣ ପୂର୍ବତନ ବିଧାୟକ ଓ କୋଭିଡ୍ ଯୋଦ୍ଧାଙ୍କୁ ରାଜ୍ୟପାଳ ଶ୍ରଦ୍ଧାଞ୍ଜଳୀ ଜଣାଇଥିବାର ଦେଖିବାକୁ ମିଳିଛି ।





