ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମା’ ଗୃହ ୱର୍ଡେନ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରି ଜିଲ୍ଲା ଆଦିବାସୀ ମହାସଂଘ ବନ୍ଦ ପାଳନ କରୁଛି। ଅଭିଯୁକ୍ତକୁ ଗିରଫ ଦାବିରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଜିଲ୍ଲା ବନ୍ଦ ପାଳନ କରାଯାଉଛି। ଆଦିବାସୀ ମହାସଂଘ ପକ୍ଷରୁ ସିବିଆଇ ତଦନ୍ତ ଦାବି ହୋଇଛି। ପ୍ରଥମେ ବିଜେଡି ନେତା ଭାଗିରଥି ମାଣ୍ଡାଙ୍ଗି, ପରେ ପୁରୁଷୋତ୍ତମ ଗମାଙ୍ଗ ଓ ଏବେ ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁକୁ ନେଇ ଉଚିତ ତଦନ୍ତ ଦାବି କରି ୧୨ଘଣ୍ଟିଆ ବନ୍ଦ ପାଳନ କରୁଛି ଆଦିବାସୀ ମହାସଂଘ।
ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ମା’ ଗୃହ ଭିତରେ ଯୁବତୀଙ୍କ ଦରପୋଡ଼ା ମରଶରୀର ଉଦ୍ଧାର ହୋଇଥିଲା। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଲକ୍ଷ୍ମୀଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ମଧ୍ୟ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି ।





