ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ସନ୍ଧ୍ୟାରେ ବାବୁସାନଙ୍କ ଅଭିନୀତ ଯୁଗାନ୍ତକାରୀ ଚଳଚ୍ଚିତ୍ର ‘ଦମନ’ ଲୋକସେବା ଭବନ (ସଚିବାଳୟ)ରେ ପ୍ରଦର୍ଶିତ ହେବ। ଆଜି ସନ୍ଧ୍ୟା ୫ଟା ସମୟରେ ଏହି ଚଳଚ୍ଚିତ୍ର ସଚିବାଳୟର କନଭେନସନ ହଲରେ ପ୍ରଦର୍ଶିତ ହେବ। ଏଥିରେ ଯୁଗ୍ମ ସଚିବ ପାହ୍ୟାରୁ ଉଚ୍ଚ ଅଧିକାରୀମାନେ ଅଂଶଗ୍ରହଣ କରିପାରିବେ। ଏନେଇ ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ଚଳଚ୍ଚିତ୍ର ‘ଦମନ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରମୁକ୍ତ ଘୋଷଣା କରିଛନ୍ତି। ଓଡ଼ିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ପର୍ଯ୍ୟବସିତ ଏହି ଚଳଚ୍ଚିତ୍ରଟି ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀଙ୍କ ମଧ୍ୟରେ ସେବା ମନୋଭାବକୁ ଆହୁରି ମଜଭୁତ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। କୋଭିଡ୍ ମହାମାରୀ ସମୟରେ ରାଜ୍ୟ ସରକାର ଯେଭଳି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ସେବା ଯୋଗାଇଲେ, ସେଭଳି କାମ କରିଚାଲିଲେ ଏକ ସୁସ୍ଥ ଓ ସଚେତନ ସାମାଜର ବିକାଶ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ, ପ୍ରାୟ ୧ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ରର ସମସ୍ତ ସୋ’ ଦୁଇ ସପ୍ତାହ ହେଲା ହାଉସଫୁଲ୍ ରହିଛି। ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି, ତାହା ଏ ଚଳଚ୍ଚିତ୍ରର ବିଷୟବସ୍ତୁ। ଏବେ ଏହା ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି। ଅଭିନେତା ବାବୁସାନ୍ ମହାନ୍ତି ଓ ଅଭିନେତା ଦୀପନ୍ବିତ୍ ଦାଶମହାପାତ୍ର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ବିନା ହିରୋଇନ୍, ଆଇଟମ୍ ଗୀତ, ଫାଇଟ୍ ନଥାଇ ମଧ୍ୟ ଏହି ଚଳଚ୍ଚିତ୍ର ସଫଳତାର ଶୀର୍ଷରେ ପହଞ୍ଚି ପାରିଛି। ଦୀର୍ଘଦିନ ଧରି ଓଡ଼ିଆ ଚଳଚ୍ଚିତ୍ର ପ୍ରତି ମୁହିଁ ଫେରାଇ ନେଉଥିବା ଦର୍ଶକଙ୍କୁ ଏହି ଚଳଚ୍ଚିତ୍ରଟି ପୁଣି ସିନେମା ହଲ୍ କୁ ଟାଣି ଆଣିଛି।





