ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭାରତୀୟ କ୍ରିକେଟ ଦଳର ଷ୍ଟାର ୱିକେଟ କିପର ଋଷଭ ପନ୍ତଙ୍କ ଚିକିତ୍ସା ଏବେ ମୁମ୍ବାଇର କୋକିଲା ବେନ୍ ହସ୍ପିଟାଲରେ ଜାରି ରହିଛି। ହସ୍ପିଟାଲରେ ପନ୍ତଙ୍କ ଶରୀରରେ ଏକ ସର୍ଜରୀ ହୋଇଥିବା ଜଣାପଡିଛି। ଏହି ସର୍ଜରୀ ସଫଳ ହୋଇଥିବା ବେଳେ, ସର୍ଜରୀ ନେଇ ଋଷଭ ପନ୍ତଙ୍କ ରେସପନ୍ସ ମଧ୍ୟ ଭଲ ରହିଛି। ଏବେ ସେ ବେଶ୍ ଭଲ ଅନୁଭବ କରୁଥିବା କହିଛନ୍ତି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ତାଙ୍କ ଡାହାଣ ଗୋଡ ଆଣ୍ଠୁ ତଳ ଲିଗାମେଣ୍ଟରେ ଏହି ସର୍ଜରୀ ହୋଇଛି।
ଏହି ସର୍ଜରୀ ଡାକ୍ତର ଦିନେଶ ପାରଦିୱାଲା କରିଛନ୍ତି। ସର୍ଜରୀ ପରେ ୩ରୁ ୪ ଦିନ ପର୍ଯ୍ୟନ୍ତ ପନ୍ତ ଡାକ୍ତରଙ୍କ ଦେଖରେଖରେ ରହିବେ। ପନ୍ତଙ୍କ ଠାରେ ଏହି ଅପରେସନ ଶୁକ୍ରବାର ହୋଇଥିଲା। ପାଖାପାଖି ୩ ଘଣ୍ଟା ପର୍ଯ୍ୟନ୍ତ ଏହି ଅପରେସନ ଚାଲିଥିଲା। ଅପରେସନ ପରେ ସେ ବେଶ ସୁସ୍ଥ ଅନୁଭବ କରୁଥିବା ପନ୍ତ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କାର ଦୁର୍ଘଟଣାରେ ଋଷଭ ପନ୍ତଙ୍କ ମୁଣ୍ଡ, ପିଠି, ଗୋଡ , ଆଣ୍ଠୁ ଓ ଗଣ୍ଠିରେ ଗଭୀର ଆଘାତ ଲାଗିଛି।
ଦୁର୍ଘଟଣା ପରେ ତାଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲକୁ ରେଫର କରାଯାଇଥିଲା। ପରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏୟାରଲିଫ୍ଟ କରି କ୍ରିକେଟରଙ୍କୁ ମୁମ୍ବାଇ ଆଣିବା ସହ କୋକିଲା ବେନ୍ ହସ୍ପିଟାଲରେ ଭର୍ତ୍ତି କରିଛି। ଉଲ୍ଲେଖଯୋଗ୍ୟ ଯେ ଶରୀରରେ ଆଘାତ ଯୋଗୁ ଶ୍ରୀଲଙ୍କା ଟି-୨୦ ଓ ୱାନଡେ ସିରିଜ ଲାଗି ପନ୍ତଙ୍କୁ ଚୟନ କରାଯାଇ ନଥିଲା। ତାଙ୍କୁ ରିଭାଇଭ ଲାଗି ବେଙ୍ଗାଲୁରସ୍ଥିତ ନ୍ୟାସନାଲ କ୍ରିକେଟ୍ ଆକାଡେମୀ ଯିବାକୁ କୁହାଯାଇଥିଲା। ତେବେ ସେ ଏନସିଏ ଯିବା ପୂର୍ବରୁ ବଡ ଦିନ ପାଳନ ପାଇଁ ଦୁବାଇ ଯାଇଥିଲେ। ସେଠାରେ ସେ ଧୋନୀଙ୍କ ସହ ବଡ ଦିନ ପାଳନ କରିଥିଲେ। ସେଠାରୁ ଫେରି ପନ୍ତ ଦିଲ୍ଲୀରୁ ରୁରକୀ ତାଙ୍କ ଘରକୁ ଯାଉଥିବା ବେଳେ ଡିସେମ୍ବର ୩୦ ତାରିଖ ଭୋର ସାଢେ ୫ଟା ବେଳେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ବେଳେ ପନ୍ତ ଗାଡିରେ ଏକାକୀ ଥିଲେ ଓ ସେ ନିଜେ ଗାଡି ଚଳାଉଥିଲେ।





