କପିରାଇଟ ଅଭିଯୋଗରେ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ବିରୁଦ୍ଧରେ ମାମଲା ରୁଜୁ କଲା ମୁମ୍ବାଇ ପୁଲିସ

ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): କପିରାଇଟ ଆକ୍ଟର ଉଲ୍ଲଂଘନ ଅଭିଯୋଗରେ ମୁମ୍ବାଇ ପୁଲିସ ଗୁଗୁଲ ସିଇଓ ସୁନ୍ଦର ପିଚାଇ ଏବଂ କମ୍ପାନୀର ଅନ୍ୟାନ୍ୟ ଅଧିକାରୀ ବିରୋଧରେ ମାମଲା ରୁଜୁ କରିଛି । ଏ ଘଟଣା ସାମ୍ନାକୁ ଆସିବା ପରେ ଏହା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମ ନିର୍ମାତା ସୁନୀଲ ଦର୍ଶନଙ୍କ ଅଭିଯୋଗକୁ ଭିତ୍ତି କରି ମୁମ୍ବାଇ ପୁଲିସ ମାମଲା ରୁଜୁ କରିଥିବାର ସୂଚନା ମିଳିଛି । ତେବେ ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ବଲିଉଡ ଫିଲ୍ମ ‘ଏକ ହସିନା ଥି ଏକ ଦିୱାନା ଥା’ କପିରାଇଟ ଆକ୍ଟକୁ ଉଲ୍ଲଂଘନ କରି ଗୁଗୁଲ ୟ୍ୟୁଟ୍ୟୁବରେ ଅପଲୋଡ କରିବାକୁ ଅନୁମତି ଦେଇଛି । କିନ୍ତୁ ଫିଲ୍ମ ନିର୍ମାତା ତାଙ୍କ ଏହି ଚଳଚ୍ଚିତ୍ରକୁ କୌଣସି ସ୍ଥାନରେ ଅପଲୋଡ କରିନାହାନ୍ତି, କିମ୍ବା ଏହାକୁ ଅପଲୋଡ କରିବାକୁ କାହାକୁ ଅନୁମତି ଦେଇନାହାନ୍ତି । କିନ୍ତୁ ୟୁଟ୍ୟୁବରେ ଏହି ଫିଲ୍ମର ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି ବୋଲି ସୁନୀଲ ଦର୍ଶନ କହିଛନ୍ତି । ସେପଟେ ୟୁଟ୍ୟୁବରେ ଫିଲ୍ମକୁ ପ୍ରତ୍ୟାହାର କରିବାକୁ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ ଫିଲ୍ମକୁ ପ୍ରତ୍ୟାହାର କରାଯାଉନଥିଲା ।

ଏପରିକି ଫିଲ୍ମକୁ ୟୁଟ୍ୟୁବରେ ଅପଲୋଡ କରି ଲକ୍ଷ ଲକ୍ଷ ଟଙ୍କାର ରୋଜଗାର କରାଯାଉଛି । ତେଣୁ ଶେଷରେ ସୁନୀଲ ଦର୍ଶନ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ଏଥିପାଇଁ ସେ ଗୁଗୁଲ ସିଇଓ ସୁନ୍ଦର ପିଚାରଙ୍କୁ ଦାୟୀ କରିଛନ୍ତି । କାରଣ ସେ ଗୁଗୁଲର ସିଇଓ ଅଛନ୍ତି । ଫିଲ୍ମଟି ୟୁଟ୍ୟୁବରେ ପ୍ରାୟ ଗୋଟିଏ ବିଲିୟନ ଲୋକ ଦେଖିସାରିଲେଣି କିନ୍ତୁ ତାଙ୍କ ପାଖକୁ କୌଣସି ଟଙ୍କା ଆସି ନାହିଁ । ତେଣୁ ସେ ବାଧ୍ୟ ହୋଇ ଏପରି କରିଛନ୍ତି ବୋଲି ସୁନୀଲ ଦର୍ଶନ କହିଛନ୍ତି । ସେପଟେ ଧାରା ୫୧ (କପିରାଇଟ୍ ଉଲ୍ଲଂଘନ), ୬୩ (କପିରାଇଟ୍ କିମ୍ବା ଅନ୍ୟାନ୍ୟ ଅଧିକାରର ଉଲ୍ଲଂଘନ) ଏବଂ ୬୯ (କମ୍ପାନୀ ଦ୍ୱାରା ଅପରାଧ)ରେ ମାମଲା ରୁଜୁ ହୋଇଛି । ସ୍ଥାନୀୟ କୋର୍ଟଙ୍କ ନିର୍ଦ୍ଦେଶରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା।

Related Posts