ପାରିବାରିକ କଳହରୁ ହତ୍ୟାକାଣ୍ଡ; ପୁଅର ଛୁରା ମାଡ଼ରେ ଗଲା ବାପାଙ୍କ ଜୀବନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୀପାବଳି ପାଳନ ଭିତରେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ପଢ଼ାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୁଅର ଛୁରା ମାଡ଼ରେ ବାପାଙ୍କ ଜୀବନ ଚାଲିଯାଇଛି। ତେବେ ଘଟଣା ପରେ ହତ୍ୟାକାରୀ ପୁଅ ଫେରାର ହୋଇଯାଇଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ ୮ଟା ବେଳେ ପଢ଼ାଳ ଗ୍ରାମର ଦେବରାଜ ନାହାକ(୬୪ )ଓ ତାଙ୍କ ପୁଅ ଅରୁଣ ନାହାକ(୩୩)ଙ୍କ ମଧ୍ୟରେ କୌଣସି ଏକ ବିଷୟକୁ ନେଇ କଳହ ସୃଷ୍ଟି ହୋଇଥିଲା। ଗାଁ ଦାଣ୍ଡରେ ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ଝଗଡ଼ା ମଧ୍ୟ ଲାଗିଥିଲା। ଉତ୍‌କ୍ଷୀପ୍ତ ହୋଇ ପୁଅ ଅରୁଣ ଏକ ଛୁରିରେ ବାପା ଦେବରାଜଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଦେବରାଜ ଛଟପଟ ହେଉଥିବା ବେଳେ ଅରୁଣ ଫେରାର୍‌ ହୋଇଯାଇଥିଲେ।

ତେବେ ଦେବରାଜଙ୍କୁ ରକ୍ତାକ୍ତ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଆସିକା ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ମଙ୍ଗଳବାର ଦେବରାଜଙ୍କ ଶବର ବ୍ୟବଚ୍ଛେଦ କରାଯିବା ସହିତ ଘଟଣାସ୍ଥଳକୁ ଫରେନ୍ସିକ୍‌ ଟିମ୍‌ ଯାଇ ତଦନ୍ତ କରୁଥିବା ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଅରୁଣଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

Related Posts