‘ମୋ ବାପା ବୋମା ମାଡ଼ କରିଥିଲେ, ହେଲେ ମିଜୋରାମ ଉପରେ ନୁହଁ ବରଂ ଭାରତ-ପାକିସ୍ତାନ ଯୁଦ୍ଧରେ’: ଭୁଲ୍‌ ତଥ୍ୟ ନେଇ ବିଜେପି ନେତାଙ୍କୁ ସଚିନ ପାଇଲଟଙ୍କ ଜବାବ୍

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତୀୟ ଜନତା ପାର୍ଟିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କିଛି ଦିନ ପୂର୍ବରୁ କଂଗ୍ରେସ ନେତା ସଚିନ ପାଇଲଟଙ୍କ ପିତା ରାଜେଶ ପାଇଲଟଙ୍କ ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାପରେ ସଚିନ ପାଇଲଟ ତାଙ୍କ ପିତାଙ୍କ ଉପରେ ଦିଆଯାଇଥିବା ମନ୍ତବ୍ୟର କଡା ଜବାବ ଦେଇଛନ୍ତି। ଅମିତ ମାଲବ୍ୟ ଅଭିଯୋଗ କରିଥିଲେ ଯେତେବେଳେ ରାଜେଶ ପାଇଲଟ ବାୟୁସେନାରେ ଥିଲେ, ସେ ମିଜୋରାମ ଉପରେ ବୋମା ମାଡ଼ କରିଥିଲେ

ତାଙ୍କର ଏହି ବିବୃତ୍ତି ଉପରେ ସଚିନ ଟୁଇଟ୍ କରି କହିଛନ୍ତି ଯେ, ଆପଣ ଦେଇଥିବା ତଥ୍ୟ ଭୁଲ ଅଟେ। ଅବଶ୍ୟ ମୋ ବାପା ଜଣେ ଭାରତୀୟ ବାୟୁସେନା ପାଇଲଟ ଥିଲେ ଏବଂ ସେ ବୋମା ମାଡ଼ କରିଥିଲେ, କିନ୍ତୁ ଆପଣ ଦାବି କରୁଥିବା ୫ ମାର୍ଚ୍ଚ ୧୯୬୬ରେ ମିଜୋରାମ ଉପରେ ନୁହେଁ ବରଂ ୧୯୭୧ ମସିହାରେ ହୋଇଥିବା ଇଣ୍ଡୋ-ପାକ ଯୁଦ୍ଧ ସମୟରେ ହିଁ ତତ୍କାଳୀନ ପୂର୍ବ ପାକିସ୍ତାନ ଉପରେ ମୋ ବାପା ବୋମା ମାଡ଼ କରିଥିଲେ। ମୋ ବାପାଙ୍କୁ ୨୯ ଅକ୍ଟୋବର ୧୯୬୬ ରେ ଭାରତୀୟ ବାୟୁସେନାରେ ନିଯୁକ୍ତ କରାଯାଇଥିଲା। ଏହା ପୂର୍ବରୁ ସେ କିଭଳି ବୋମା ମାଡ଼ କରିବେ। ଏହି ତଥ୍ୟ ସମ୍ପୂର୍ଣ୍ଣ ଭୁଲ ଏବଂ ଏଭଳି ଭ୍ରାନ୍ତ ତଥ୍ୟ ପ୍ରଦାନ କରିବା ଠିକ ନୁହେଁ। ସଚିନ ପାଇଲଟ ନିଜ ପିତା ରାଜେଶ ପାଇଲଟଙ୍କ ବାୟୁସେନାରେ ନିଯୁକ୍ତି ପତ୍ର ମଧ୍ୟ ଏହି ଟୁଇଟ୍ ରେ ସେୟାର କରିଛନ୍ତି।

ତେବେ ଗତ ଅଗଷ୍ଟ ୧୩ ରେ ଅମିତ ମାଲବ୍ୟ ତାଙ୍କ ଏକ୍ସ (ଟୁଇଟର) ହ୍ୟାଣ୍ଡେଲରେ ଲେଖିଥିଲେ ରାଜେଶ ପାଇଲଟ ଏବଂ ସୁରେଶ କାଲମାଡି ଭାରତୀୟ ବାୟୁସେନାର ବିମାନ ଉଡ଼ାଉଥିଲେ ଯାହା ମିଜୋରାମର ରାଜଧାନୀ ଆଇଜ୍ୱାଲ ଉପରେ ବୋମା ପକାଇଥିଲା। ପରେ ଉଭୟ କଂଗ୍ରେସ ଟିକଟରେ ସାଂସଦ ହୋଇଥିଲେ ଏବଂ ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ। ଏଥିରୁ ସ୍ପଷ୍ଟ ଉତ୍ତର ପୂର୍ବ ରାଜ୍ୟରେ ନିଜ ଦେଶର ଲୋକଙ୍କ ଉପରେ ଏୟାର ଷ୍ଟ୍ରାଇକ କରିଥିବା ବ୍ୟକ୍ତିଙ୍କୁ ପୁରସ୍କାର ଏବଂ ସମ୍ମାନ ଭାବରେ ଇନ୍ଦିରା ଗାନ୍ଧୀ ରାଜନୀତିରେ ସ୍ଥାନ ଦେଇଛନ୍ତି।

ତେବେ ଲୋକସଭାରେ ଅନାସ୍ଥା ପ୍ରସ୍ତାବର ଜବାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସରକାର ମିଜୋରାମ ବିରୋଧରେ ବାୟୁସେନା ବ୍ୟବହାର କରିଥିଲେ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଭାରତ-ଚାଇନା ଯୁଦ୍ଧ ସମୟରେ ଉତ୍ତର-ପୂର୍ବର ଲୋକମାନଙ୍କୁ ନିଜ ଅବସ୍ଥାରେ ଛାଡ଼ି ଦିଆଯାଇଥିଲା। ସେହି ସମୟରେ ମିଜୋରାମର ନାଗରିକମାନେ କ’ଣ ଆମର ନାଗରିକ ନ ଥିଲେ। ସେହି ରାଜ୍ୟର ଲୋକମାନେ ପ୍ରତିବର୍ଷ ୫ ମାର୍ଚ୍ଚରେ ଶୋକ ଦିବସ ପାଳନ କରନ୍ତି।

ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତି ଉପରେ କଂଗ୍ରେସ ଆପତ୍ତି ଜଣାଇଥିଲା। କଂଗ୍ରେସ ନେତା ଜୟରାମ ରମେଶ କହିଥିଲେ ମାର୍ଚ୍ଚ ୧୯୬୬ ରେ ଇନ୍ଦିରା ଗାନ୍ଧୀ ମିଜୋରାମରେ ବିଚ୍ଛିନ୍ନତାବାଦୀ ବାହିନୀର ମୁକାବିଲା ପାଇଁ କଠିନ ପରିଶ୍ରମ କରିଥିଲେ, ଯାହାକୁ ପାକିସ୍ତାନ ଏବଂ ଚାଇନା ସମର୍ଥନ କରିଥିଲେ। ମିଜୋରାମ ପ୍ରସଙ୍ଗରେ ଇନ୍ଦିରା ଗାନ୍ଧୀଙ୍କୁ ସମାଲୋଚନା କରିବା ଠିକ ନୁହେଁ। ଏଭଳି ମନ୍ତବ୍ୟ ନିନ୍ଦନୀୟ ବୋଲି ସେ କହିଥିଲେ।

Related Posts