ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ମହାମାରୀ ସମୟରେ ପିପିଇ କିଟ ଦୁର୍ନୀତି କରିଥିବାର ଅଭିଯୋଗ କରିଥିଲେ । ତେବେ ଏହାର ଉତ୍ତର ଦେବାକୁ ଯାଇ ହିମନ୍ତ ବିଶ୍ବଶର୍ମା ଟୁଇଟ୍ କରି ଲେଖିଛନ୍ତି: କୋଭିଡ୍ ଯୋଦ୍ଧାଙ୍କ ପାଇଁ ଯୋଗାଣ ହୋଇଥିବା ପ୍ରାୟ ୧୫୦୦ କିଟ୍କୁ ‘ସିଏସ୍ଆର୍’ ଦାନ ଭାବେ ବିବେଚନା କରାଯିବା ଉଚିତ ଏବଂ ଏଥିପାଇଁ ଆସାମ ସରକାରଙ୍କୁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ ବୋଲି ଉକ୍ତ କମ୍ପାନି ଆସାମର ‘ଏନ୍ଏଚ୍ଏମ୍’କୁ ଲେଖି ଜଣାଇଛି।
ଆସାମ ସରକାର ମଧ୍ୟ ତାହାକୁ ବିଧିବଦ୍ଧ ଭାବେ ସ୍ବୀକାର କରିଛନ୍ତି। ହିମନ୍ତ ବିଶ୍ବଶର୍ମା ଆହୁରି ମଧ୍ୟ ଲେଖିଛନ୍ତି: ମନୀଷ ଭାଇ ଏହା ଦୁର୍ନୀତି ନୁହେଁ, ମାନବିକତା। ମୋ ସ୍ତ୍ରୀ ଅପରାଧ କରିନାହିଁ, ଘୋର ସଙ୍କଟ କାଳରେ ସେ ଆସାମକୁ ସାହାଯ୍ୟ କରିବା ପାଇଁ ଉଦ୍ୟମ କରିଥିଲେ। ସର୍ବସାଧାରଣରେ କାହାର କୁତ୍ସାରଟନା ଅସହଣୀୟ। ଆପଣ ଆଇନଗତ ପରିଣାମ ଭୋଗିବେ ବୋଲି କହିଛନ୍ତି ।





