ଭୁବନେଶ୍ୱର,୨୩/୬(ସତ୍ୟପାଠ ବ୍ୟୁରୋ): ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ବାବୁ। ଆଜି ସକାଳୁ ସକାଳୁ ଭିଜିଲାନ୍ସ ଟିମ୍ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ, ଭଦ୍ରକ ଓ ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରୁଥିବାର ସୂଚନା ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଥିବା ଜଣାଯାଇଛି। ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ୯ଟି ଟିମ୍ ସାମିଲ ହୋଇଛନ୍ତି।ଏଥିରେ ୨ ଜଣ ଅତିରିକ୍ତ ଏସପି, ୭ ଡିଏସପି ଓ ୮ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ରେଡ ମଧ୍ୟରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ପାଖରେ ଥିବା ଟଙ୍କାର ପରିମାଣ ଦେଖି ତାଜୁବ ହୋଇଯାଇଛି ଭିଜିଲାନ୍ସ | ପ୍ରଶାନ୍ତଙ୍କ ଭୁବନେଶ୍ୱର କାନନ ବିହାର ସ୍ଥିତ ପଡ଼ୋଶୀ ଘର ଛାତରୁ ୬ଟି ପେଟି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି | ଆଉ ୬ଟି ପେଟିରେ ବିଡା ବିଡା ୫୦୦ ଟଙ୍କିଆ ନୋଟ ମିଳିଛି| ଘର ଛାତରୁ ଟଙ୍କା ଜବତ ପରେ ପଡ଼ୋଶୀ ଘରେ ଭିଜିଲାନ୍ସ ରେଡ୍ ହୋଇଛି | ବର୍ତ୍ତମାନ ସୁଦ୍ଧା ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ବେଳେ ଏବେବି ଗଣତି ଜାରି ରହିଛି | ଏନେଇ ଅଧିକ ସୂଚନାକୁ ଆପେକ୍ଷା କରାଯାଇଛି |
ଉଲ୍ଲେଖଯୋଗ୍ୟ, ପ୍ରଶାନ୍ତ କୁମାର ରାଉତଙ୍କ ନାମରେ ଦୁର୍ନୀତି ଅଭିଯୋଗ ହୋଇଆସୁଥିଲା। ଆଗରୁ ସେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାରେ ଥିବା ବେଳେ ମଧ୍ୟ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ବିଶ୍ରା ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରୁଥିବା ସମୟରେ ବିରିପାଣି ପଞ୍ଚାୟତର ଜଣେ ଅଧିକାରୀଙ୍କ ଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା।





