ଆଉ ନିର୍ବାଚନ ଲଢ଼ିବେନି ନରସିଂହ ମିଶ୍ର

ଭୁବନେଶ୍ୱର,୧୩/୪(ସତ୍ୟପାଠ ବ୍ୟୁରୋ): ଆଉ ନିର୍ବାଚନ ଲଢିବେନି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବୟସାଧିକ କାରଣରୁ ସେ ଆଉ ନିର୍ବାଚନ ଲଢ଼ିବେ ନାହିଁ ।ନରସିଂହ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେନି କିନ୍ତୁ ରାଜନୀତି କିମ୍ବା କଂଗ୍ରେସ ଦଳ ଛାଡିବେ ନାହିଁ । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ବଲାଙ୍ଗୀରର ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର ଆସନ୍ତା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି ।

ସୂଚନାଯୋଗ୍ୟ ଯେ, ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀରର ଦୁଇ ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହ ଦେଓ ଓ ନରସିଂହ ମିଶ୍ର ନିର୍ବାଚନ ଲଢ଼ିବେନି ବୋଲି ଘୋଷଣା କରିଥିଲେ । ହେଲେ ପରବର୍ତ୍ତୀ ସମୟରେ ନରସିଂହ ମିଶ୍ର ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ । ତେବେ ଲୋକଙ୍କ ଦାବି ଓ ପ୍ରେମ ଯୋଗୁଁ ସେ ଏହି ନିର୍ବାଚନ ଲଢ଼ିଥିଲେ ବୋଲି କହିଥିଲେ ଏବଂ ବିଜୟୀ ମଧ୍ୟ ହୋଇଥିଲେ । ସାଧାରଣ ନିର୍ବାଚନକୁ ବର୍ଷେରୁ କମ୍ ସମୟ ବାକି ଥିବାବେଳେ ପୁଣିଥରେ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି ନରସିଂହ ମିଶ୍ର । ବୟସାଧିକ ଦୃଷ୍ଟିରୁ ତଥା ସ୍ୱାସ୍ଥ୍ୟଗତ କାରଣରୁ ଆଗଭଳି ଲୋକଙ୍କ ସେବା କରିବା ପାଇଁ ସମର୍ଥ ହେବେ ନାହିଁ ବୋଲି କହିଛନ୍ତି।

ସେହିପରି କିଛି ଗଣମାଧ୍ୟମ ତାଙ୍କର ଏହି କଥାକୁ ନେଇ ଭୁଲ ଓ ବିଭ୍ରାନ୍ତିକର ଖବର ପରିବେଷଣ କରିଥିବାର କଂଗ୍ରେସ ନେତା ଅଭିଯୋଗ କରିଛନ୍ତି । ନରସିଂହ ସ୍ପଷ୍ଟୀକରଣ ଦେଇଛନ୍ତି ଯେ, ସେ ନିର୍ବାଚନ ଲଢ଼ିବେ ନାହିଁ ସତ ହେଲେ ରାଜନୀତି କିମ୍ବା ଦଳ ଛାଡିବେ ନାହିଁ । ଲୋକେ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅପିଲ କଲେ ସେ ବୁଝାଇଦେବେ ବୋଲି କହିଛନ୍ତି । କାରଣ ବୟସ ଓ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ସେ ଆଉ ଲୋକଙ୍କ ସେବା କରିବାପାଇଁ ସମର୍ଥ ହେବେ ନାହିଁ । ଦଳ ମଧ୍ୟ ଏହି କଥା ବୁଝି ପାରିବ ବୋଲି କଂଗ୍ରେସ ନେତା କହିଛନ୍ତି । ତେବେ ତାଙ୍କ ସ୍ଥାନରେ ପରିବାରର ଅନ୍ୟ କେହି ନିର୍ବାଚନ ଲଢ଼ିବେ କି ନାହିଁ ତାହା ସମୟ କହିବ ବୋଲି ନରସିଂହ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୦୧୯ରେ ନରସିଂହ ମିଶ୍ରଙ୍କ ସାନ ପୁଅ ସୌମେନ୍ଦ୍ର ମିଶ୍ର କଂଗ୍ରେସ ଟିକଟରୁ ବଲାଙ୍ଗୀର ସାଂସଦ ପାଇଁ ନିର୍ବାଚନ ଲଢ଼ିଥିଲେ । ସେହିପରି ନରସିଂହ ବଲାଙ୍ଗୀର ବିଧାନସଭାରୁ ନିର୍ବାଚନ ଲଢ଼ିଥିଲେ । ତେବେ ତାଙ୍କ ସାନ ପୁଅ ସୌମେନ୍ଦ୍ର ମିଶ୍ର ପରାଜିତ ହୋଇଥିବା ବେଳେ ନରସିଂହ ମିଶ୍ର ବିଧାୟକ ଭାବେ ବିଜୟୀ ହୋଇଥିଲେ ।

Related Posts