ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): 2024 ସାଧାରଣ ନିର୍ବାଚନ ପୂର୍ବରୁ ଏବେ କେନ୍ଦ୍ରରେ ଥିବା ମୋଦି ସରକାରଙ୍କ ବିରୋଧରେ ବେଙ୍ଗାଳୁରୁରେ ଏକଜୁଟ ହୋଇଛନ୍ତି 26 ଟି ବିରୋଧୀ ଦଳ | ସେପଟେ ବିରୋଧୀଙ୍କ ବୈଠକକୁ କାଉଣ୍ଟର କରିବା ପାଇଁ ଆଜି ଦିଲ୍ଲୀରେ ଶାସକ ବିଜେପି ନେତୃତ୍ୱରେ ବସୁଛି ଏନଡିଏ ମେଣ୍ଟର ବୈଠକ | ଉଭୟ ଶାସକ ଓ ବିରୋଧୀ ପକ୍ଷରେ ଏଥର କିଛି ନୂଆ ଦଳ ଯୋଗଦେଇଥିବା ବେଳେ ଓଡ଼ିଶାରେ ଶାସନରେ ଥବା ବିଜୁ ଜନତା ଦଳ କିନ୍ତୁ କୌଣସି ବୈଠକରେ ଯୋଗଦେଇନାହିଁ |
ଏହାକୁ ନେଇ ବିଜେଡିକୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଟାର୍ଗେଟ କରିଛନ୍ତି । ନରସିଂହ କହିଛନ୍ତି ଯେ, ବିଜେଡି ଓ ବିଜେପି ଏକ | ଏକଥା ଆମେ ନୁହଁ ନିଜେ ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ କହିଛନ୍ତି | ବିଜେଡି ସମଦୂରତା କଥା କହୁଛି, କିନ୍ତୁ କାର୍ଯ୍ୟରେ ବିଜେପି ସହ ଅଛି । ବିଜେପି ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଗସ୍ତକୁ ବିରୋଧରେ କହୁଛି । କେନ୍ଦ୍ରରେ ବିଜେପି ସରକାର ଚାହିଁଲେ କେନ୍ଦ୍ରକୁ ଡାକି ନେଇପାରିବେ । ତାହା ନକରି ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଭ୍ରମିତ କରୁଛନ୍ତି । ସେପଟେ ସବୁ ବିଲ୍ରେ ଲୋକସଭା,ରାଜ୍ୟସଭାରେ ବିଜେଡି ବିଜେପିକୁ ସମର୍ଥନ କରୁଛନ୍ତି । ଏପରିକି ଗୋଟିଏ ରାଜ୍ୟସଭା ଆସନ ମଧ୍ୟ ବିଜେଡି ବିଜେପିକୁ ଦେଇ ଦେଇଛି | ଏଭଳି ଦେଶରେ ଅନ୍ୟ କେଉଁଠି ହେଉଛି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି |
ସେ ଆହୁରି କହିଛନ୍ତି ଯେ, ଭୟ ଅଛି ବୋଲି ବିଜେଡି ଏପରି କରୁଛି। ଦେଶର ଅନ୍ୟ ରାଜ୍ୟରେ ଯେଉଁଠି ବିରୋଧୀ ଦଳଙ୍କ ସରକାର ଅଛି ସେଠାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ରେଡ୍ କରୁଛି,କିନ୍ତୁ ଓଡିଶାରେ ନାହିଁ । ଏଥିରୁ ସେ ଦୁଇ ଦଳ ଗୋଟେ ତାହା ସ୍ପଷ୍ଟ ହେଉଛି ବୋଲି ନରସିଂହ କହିଛନ୍ତି।
ସେପଟେ ଏହାର ଜବାବ ରଖିଛି ବିଜେଡି | ଦଳର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି ଯେ, ବିଜେଡି କୌଣସି ଗୋଷ୍ଠିରେ ନାହିଁ | ସବୁବେଳେ ଦଳ କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ବଜାୟ ରଖିଛି | ଯେତେବେଳେ ଯେଉଁ ଦଳ କେନ୍ଦ୍ରରେ ସରକାରରେ ଅଛନ୍ତି ସେତେବେଳେ ସଂଘୀୟ ବ୍ୟବସ୍ଥା ଅନୁସାରେ ବିଜେଡି ନିଜର ଆଭିମୁଖ୍ୟ ରଖିଛି ବୋଲି ଦେବୀ କହିଛନ୍ତି |





