ଭୁବନେଶ୍ଵର,୭/୩(ସତ୍ୟପାଠ ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ମାସେରୁ ଅଧିକ ସମୟ ବିତିଛି। ହେଲେ ଏଯାଏଁ ହତ୍ୟାକାଣ୍ଡର କାରଣ ଜଣାପଡିନାହିଁ। ଏସବୁ ଭିତରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ହତ୍ୟା ପଛରେ ବ୍ୟକ୍ତିଗତ ଶତ୍ରୁତାକୁ ସନ୍ଦେହ କରିଛନ୍ତି। ଆଜି ନରସିଂହ ଏକ ବଡ଼ ବୟାନ ଦେଇ କହିଛନ୍ତି ଯେ, ମୋ ପାଖରେ ଯାହା ତଥ୍ୟ ଅଛି, ଚାକିରୀ ପାଇଁ ଗୋପାଳ ଦାସ ତାର ଝିଆରୀକୁ ନେଇ ନବ ବାବୁଙ୍କ ପାଖକୁ ଯାଉଥିଲେ। ସେତେବେଳ କ’ଣ ଅଘଟଣ ନ ଘଟିଥାଇ ପାରେ ବୋଲି କିଏ କହିବ? ନବ ବାବୁଙ୍କ ନାଁରେ ପୂର୍ବରୁ ଅନେକ କଥା ଶୁଣିବାକୁ ମିଳିଛି। ଦେହାନ୍ତ ପରେ ଏହା କହିବା ଉଚିତ ହେବ ନାହିଁ। ଏଥିପାଇଁ ଗୋପାଳ ର ପରିବାର ଲୋକେ ଷଡଯନ୍ତ୍ର କରିଥାଇ ପାରନ୍ତି ନବଙ୍କୁ ହତ୍ୟା କରିବା ପାଇଁ ଗୋପାଳ ଝିଆରୀକୁ ପଚାର ଉଚୁରା କଲେ ସ୍ପଷ୍ଟ ଜଣାପଡ଼ିବ ବୋଲି ସେ କହିଛନ୍ତି।
ନରସିଂହ ଆହୁରି କହିଛନ୍ତି ଯେ, ଗୋପାଳ ଦାସ ପାଗଳ ନ ଥିଲା ବୋଲି ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା ପରେ ସ୍ପଷ୍ଟ ହୋଇ ସାରିଛି କୋର୍ଟ ମଧ୍ୟ ରିପୋର୍ଟକୁ ଗ୍ରହଣ କରିଛନ୍ତି। ଯାହା ନିଜେ ଅଭିଯୁକ୍ତ ପ୍ରମାଣ କରିବା କଥା, ତାହା ସରକାର କାହିଁକି ପ୍ରମାଣିତ କରିବା ପାଇଁ ଚେଷ୍ଟା କରୁଛନ୍ତି। ସନ୍ଦେହ ହେଉଛି ଦଣ୍ଡ ଦେବା ପରିବର୍ତ୍ତେ ମୁଦାଲାକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ବ୍ୟଗ୍ର। କ୍ରାଇମବ୍ରାଞ୍ଚ ଏଥିପାଇଁ ପ୍ରସ୍ତୁତି କରୁଛି। ସେଭଳି ଚରିତ୍ରର ଲୋକ ତାଙ୍କ ଦଳରେ ଥିଲେ ଦଳ ବଦନାମ ହେବ। ଦଳ ସେଇଥି ପାଇଁ ପାଗଳ ବୋଲି ପ୍ରମାଣିତ କରିବାକୁ ଦଳ ଚେଷ୍ଠା କରୁଛି।
ଶ୍ରୀ ମିଶ୍ର ଆହୁରି କହିଛନ୍ତି, ଷଡ଼ଯନ୍ତ୍ର ପ୍ରମାଣିତ ହୋଇ ଗଲାଣି। ବର୍ତ୍ତମାନ ଯାହା ଜଣାପଡୁଛି ବ୍ୟକ୍ତିଗତ ଶତ୍ରୁତା ଯୋଗୁଁ ଷଡ଼ଯନ୍ତ୍ର ହୋଇଥିଲା। ଅଭିଯୁକ୍ତର ବଡ଼ଭାଇ ହତ୍ୟା ପରେ ବ୍ରହ୍ମପୁର ପଳେଇଛି। ସଙ୍ଗେ ସାଙ୍ଗେ ଅଭିଯୁକ୍ତ ସ୍ତ୍ରୀ କହୁଛନ୍ତି ମୋ ସ୍ୱାମୀ ପାଗଳ। ୮ ବର୍ଷ ତଳେ ଚିକିତ୍ସା କରିଥିବା ଡାକ୍ତର ହଠାତ ସାମ୍ନାକୁ ଆସୁଛି। ଗୋପାଳକୁ କିଏ ବ୍ୟବହାର କରିଛି ନା ନାହିଁ ସଠିକ ତଦନ୍ତ ପରେ ସତ ପଦାକୁ ଆସିବ।
ଅନ୍ୟପଟରେ ବ୍ୟବସାୟିକ ଓ଼ ରାଜନୈତକ ଶତ୍ରୁତା ମଧ୍ୟ ହତ୍ୟାକାଣ୍ଡର କାରଣ ହୋଇପାରେ। କଂଗ୍ରେସ ଛାଡି ବିଜେଡିକୁ ଯିବା ପରେ ତାଙ୍କ ଦଳର ପଶ୍ଚିମ ଓଡ଼ିଶାର ନେତାଙ୍କ ପ୍ରଭାବ କମି ଯାଇଥିଲା। ନବଙ୍କ ଭାଉ ବଢ଼ିଗଲା। ବ୍ରଜରାଜନଗର ଉପନିର୍ବାଚନ ବେଳେ ଏଭଳି ଘଟଣା ଘଟିଛି। ଆସ ଟ୍ରାନ୍ସପୋର୍ଟରେ ନବ ବାବୁଙ୍କ ମନୋପୋଲି ଥିଲା। ନବଙ୍କ ହତ୍ୟା ପରେ ତାଙ୍କ ସପକ୍ଷବାଦୀ ଓ ଜଣେ ପୂର୍ବତନ ମନ୍ତ୍ରୀଙ୍କ ସପକ୍ଷବାଦୀ ମାଡ଼ କାହିଁକି ଲାଗିଲେ। ଏଏସ୍ଆଇ ଘରେ ଦାମୀ ଗାଡ଼ି କେଉଁଠୁ ଆସିଲା ସନ୍ଦେହ ଉପରେ ସଠିକ ତଦନ୍ତ ହେଲେ ସତ ପଦାକୁ ଆସିବ।
ସୂଚନାଯୋଗ୍ୟ ଯେ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତ ଜାନୁଆରି ୨୯ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟାରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ସେ ସେହି କାର୍ଯ୍ୟକ୍ରମସ୍ଥଳ ତାଙ୍କୁ ସ୍ବାଗତ କରାଯାଉଥିବାବେଳେ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ମୁତୟନ ହୋଇଥିବା ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସ ତାଙ୍କୁ ଗୁଳି କରିଥିଲେ। ନବ ଦାସଙ୍କ ଛାତିରେ ଗୁଳି ବାଜିଥିବାରୁ ସେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ବରସ୍ଥିତ ଆପଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା।





