ନୂଆଦିଲ୍ଲୀ: ‘ନ୍ୟାସ୍ନାଲ୍ ହେରାଲଡ୍’ ଖବରକାଗଜ ସଂକ୍ରାନ୍ତ ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଛନ୍ଦି ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ୍ ଗାନ୍ଧୀ | ଏନେଇ ଉଭୟଙ୍କୁ ଜେରା ପାଇଁ ସମନ୍ ଜାରି କରାଯାଇଛି | ମାତ୍ର ରାହୁଲ୍ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବାକୁ
କିଛି ସମୟ ମାଗିଥିବା କଂଗ୍ରେସ ପାର୍ଟିସୂତ୍ରରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ଗତକାଲି ଉପରୋକ୍ତ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ୍ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦେଶାଳୟରୁ ସମନ୍ ପାଇଥିଲେ।
ପରିଚୟ ଗୋପନ ରଖିବା ସର୍ତ୍ତରେ କଂଗ୍ରେସ ପାର୍ଟିର ଉକ୍ତ ସୂତ୍ର କହିଛନ୍ତି ଯେ, ସମ୍ପ୍ରତି ରାହୁଲ୍ ଗାନ୍ଧୀ ବିଦେଶ ଗସ୍ତରେ ଅଛନ୍ତି ଏବଂ ଜୁନ୍ ୫ ତାରିଖରେ ସେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିପାରନ୍ତି।
ସେ କହିଛନ୍ତି: ମେ ୨୦ରୁ ମେ ୨୩ ମଧ୍ୟରେ ଲଣ୍ଡନରେ ଆୟୋଜିତ କେତେକ ସର୍ବସାଧାରଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଲାଗି ରାହୁଲ୍ ଗାନ୍ଧୀ ଭାରତରୁ ଯାଇଥିଲେ। ସେବେଠାରୁ ସେ ଭାରତକୁ ଫେରି ନାହାନ୍ତି।
ଜୁନ୍ ୫ ତାରିଖରେ ରାହୁଲ୍ ଗାନ୍ଧୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି। ଏହାପରେ ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଜେରା ପାଇଁ ସାନି ତାରିଖ ଦେବା ଲାଗି ସେ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଅନୁରୋଧ କରିବେ।
ବୁଧବାର ଦିନ ମିଳିଥିବା ପ୍ରବର୍ତ୍ତନ ନିର୍ଦେଶାଳୟ ସମନ୍ ଅନୁସାରେ, ଜେରା ପାଇଁ ରାହୁଲ୍ ଗାନ୍ଧୀ ଜୁନ୍ ୨ ତାରିଖ ଏବଂ ସୋନିଆ ଗାନ୍ଧୀ ଜୁନ୍ ୮ତାରିଖରେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା କଥା। କିନ୍ତୁ, ବିଦେଶରେ ଥିବାରୁ ରାହୁଲ୍ ଗାନ୍ଧୀ ଜୁନ୍ ୫ ତାରିଖ ପରେ ହାଜର ହେବା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟଠାରୁ ସମୟ ମାଗିଛନ୍ତି |





