ନାଟୋ ଉପରେ ଉପରେ ଖପ୍ପା ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି | ନାଟୋକୁ ତୀବ୍ର ସମାଲୋଚନା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି | ଏପରିକି ଋଷ୍ କୁ କ୍ଷେପଣାସ୍ତ୍ର ମାଡ ପାଇଁ ସବୁଜ ସଙ୍କେତ ଦେଇଥିବା ଅଭିଯୋଗ ଆଣିଛନ୍ତି ୟୁକ୍ରେନ ରାଷ୍ଟ୍ରପତି | ଆକ୍ରମଣ ରୋକିବା ପାଇଁ ୟୁକ୍ରେନ ଆକାଶ ମାର୍ଗକୁ ନୋ ଫ୍ଲାଇଂ ଜୋନ ଘୋଷଣା କରିବାକୁ ଜେଲେନସ୍କି ନାଟୋକୁ ଅନୁରୋଧ କରିଥିଲେ । ମାତ୍ର ନାଟୋ ନୋ ଫ୍ଲାଇଂ ଜୋନ ଘୋଷଣା ପାଇଁ ପ୍ରତ୍ୟାଖାନ କରିଛି । ଏପରିକି ଋଷ ସେନା ଦ୍ବାରା ୟୁକ୍ରେନରେ ହେବାକୁ ଥିବା ମୃତାହତ ପାଇଁ ନାଟୋ ଦାୟୀ ରହିବ ବୋଲି କହିଛନ୍ତି ।
ଜେଲେନସ୍କି କହିଛନ୍ତି, ଆଜି(ଶନିବାର) ନାଟୋ ରାଷ୍ଟ୍ରଗୁଡିକର ଏକ ଶିଖର ସମ୍ମିଳନୀ ଥିଲା । ହେଲେ ଏହା ଏକ ଦୁର୍ବଳ ଦ୍ବନ୍ଦପୂର୍ଣ୍ଣ ସମ୍ମିଳନୀ । ଏହା ଦର୍ଶାଇଛି ଯେ, ସମସ୍ତେ ୟୁରୋପର ସ୍ବାଧୀନତା ସଂଗ୍ରାମକୁ ନିଜର ଏକ ନମ୍ବର ଲକ୍ଷ୍ୟ ଭାବନ୍ତି ନାହିଁ । ନୋ ଫ୍ଲାଇଂ ଜୋନ ପାଇଁ ମନା କରି ନାଟୋ ୟୁକ୍ରେନର ସହର ଏବଂ ଗାଁଗୁଡିକରେ ଋଷର କ୍ଷେପଣାସ୍ତ୍ର ମାଡ ପାଇଁ ସବୁଜ ସଙ୍କେତ ଦେଇଛନ୍ତି । ଏକ ଭିଡିଓ ବାର୍ତ୍ତା ଜରିଆରେ ନାଟୋକୁ ଏଭଳି କଟୁ ସମାଲୋଚନା କରିଛନ୍ତି ଭୋଲୋଦିମିର ଜେଲେନସ୍କି ।ଆହୁରି ମଧ୍ୟ, ନୋ ଫ୍ଲାଇଂ ଜୋନ ଘୋଷଣା କଲେ ନାଟୋ ବିରୁଦ୍ଧରେ ଋଷ ସିଧାସଳଖ ଆକ୍ରମଣ କରିବ ବୋଲି ନାଟୋ ରାଷ୍ଟ୍ରଗୁଡିକର ମନ୍ତବ୍ୟକୁ ଜେଲେନସ୍କି ଏକ କାହାଣୀ ବୋଲି କହିଛନ୍ତି । ଏହି ରାଷ୍ଟ୍ରଗୁଡିକ ନିକଟରେ ଅଧିକ ଅସ୍ତ୍ରଶସ୍ତ୍ର ଥିଲେ ମଧ୍ୟ ସେମାନେ ଦୁର୍ବଳ ଏବଂ ନିଷ୍ପତ୍ତି ନେବାକୁ ଡରୁଛନ୍ତି । ନୋ ଫ୍ଲାଇଂ ଜୋନ ଘୋଷଣା କଲେ ୟୁରୋପରେ ଯୁଦ୍ଧ ଆହୁରି ଭୟଙ୍କର ହେବ ବୋଲି ନାଟୋର ମହାସଚିବ ଜେନ୍ସ ଷ୍ଟୋଲଟେନବର୍ଗ ଶୁକ୍ରବାର କହିବା ପରେ ସଂଗଠନକୁ ନିନ୍ଦା କରିଛନ୍ତି ଜେଲେନସ୍କି ।
ସେପଟେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଦିମିତ୍ରୋ କୁଲେବା କହିଛନ୍ତି, ଯଦି ଆମକୁ ସାହାଯ୍ୟ ନ କରନ୍ତି ତେବେ ଋଷ ସେନା ବୋମା ମାଡ ଦ୍ବାରା ହେବାକୁ ଥିବା ଧନଜୀବନ କ୍ଷୟକ୍ଷତି ପାଇଁ ନାଟୋ ଏଥିପାଇଁ ଦାୟୀ ରହିବ ।





