ଭୁବନେଶ୍ଵର,୨୭/୨(ସତ୍ୟପାଠ ବ୍ୟୁରୋ): ଆଜି ବିଧାନସଭା ବଜେଟ ଅଧିବେଶନର ସପ୍ତମ ଦିନରେ ପ୍ରଥମେ ପ୍ରଶ୍ନକାଳ ସୁରୁଖୁରରେ ସରିବା ପରେ ଆରମ୍ଭ ହୋଇଥିଲା ଶୂନ୍ୟକାଳ । ଶୂନ୍ୟକାଳରେ ଗୃହରେ ପୁଣି ନବ ଦାସ ହତ୍ୟା ପ୍ରସଙ୍ଗ ଉଠିଥିଲା। ଏହି ପ୍ରସଙ୍ଗରେ ସରକାରଙ୍କୁ ପୁଣି ଜୋରଦାର ଟାର୍ଗେଟ କରିବା ସହିତ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଏହି କ୍ରମରେ ଗୃହରେ ସାଙ୍ଗାତିକ ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ନବ ଦାସଙ୍କ ହତ୍ୟା ଏକ ପ୍ରି ପ୍ଲାନଡ (ଯୋଜନାବଦ୍ଧ) ମର୍ଡର ବୋଲି କହିଛନ୍ତି ତାରା ।
ଶୂନ୍ୟକାଳରେ ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇ ତାରା କହିଥିଲେ ଯେ, ଏହା ଏକ ପ୍ରି ପ୍ଲାନଡ ମର୍ଡର । କ୍ରାଇମବ୍ରାଞ୍ଚ ଯେଉଁ ତଦନ୍ତ କରୁଛି ତାହା ଲୋକଙ୍କ ମନକୁ ଛୁଉଁନାହିଁ । ଲୋକଙ୍କ ପାଖରେ ତଦନ୍ତର ଅପଡେଟ ପହଞ୍ଚିବା ଦରକାର । ଗୋପାଳ କେବଳ ପାଗଳ କି ନୁହେଁ ତାର ତଦନ୍ତ ହେଉଛି । କିନ୍ତୁ ଗୋପାଳ କାହିଁକି ମାରିଲା ତାର ତଦନ୍ତ ହେଉନାହିଁ । ଏନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ନିୟମିତ ବିଧାନସଭାରେ ତଥ୍ୟ ରଖନ୍ତୁ ବୋଲି ସେ ଦାବି କରିଛନ୍ତି। ଏହାସହିତ ବାଚସ୍ପତିଙ୍କ ରୁଲିଂ ସହ ଘଟଣାର ସଠିକ ତଦନ୍ତ ଦାବି କରିଛନ୍ତି ତାରା ।





