ନବୀନ ପଟ୍ଟନାୟକ ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ, ମମତା ସବୁଠୁ ଗରିବ

ଭୁବନେଶ୍ୱର,୧୨/୪(ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ତୃତୀୟ ସର୍ବାଧିକ ଧନୀ ମୁଖ୍ୟମନ୍ତ୍ରୀ । ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତା ଓ ଅପରାଧିକ ମାମଲା ଆଦି ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରସ୍ତୁତ ଏଡିଆର (ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମ୍‌ସ) ରିପୋର୍ଟରୁ ଏହା ଜଣାପଡ଼ିଛି । ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ଦେଶର ତିନି ନମ୍ବର ଧନୀ ମୁଖ୍ୟମନ୍ତ୍ରୀ । ତେବେ ଧନୀ ତାଲିକାର ଏକ ନମ୍ବର ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ୍‍ ଜଗନ ମୋହନ ରେଡ୍ଡୀ ଥିବାବେଳେ ଦୁଇ ନମ୍ବର ସ୍ଥାନରେ ଅରୁଣାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ରହିଛନ୍ତି ।

ଏଡିଆର ରିପୋର୍ଟ ଅନୁଯାୟୀ, ନବୀନ ପଟ୍ଟନାୟକଙ୍କ ମୋଟ ସମ୍ପତ୍ତିର ପରିମାଣ ହେଉଛି ୬୩,୮୭,୪୧,୮୧୬ ଟଙ୍କା । ତେବେ ପ୍ରଥମ ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସମ୍ପତ୍ତିର ପରିମାଣ ୫୧୦,୩୮,୧୬,୫୬୬ ଟଙ୍କା ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଥିବା ପେମା ଖଣ୍ଡୁଙ୍କ ସମ୍ପତ୍ତିର ମୂଲ୍ୟ ୧୬୩,୫୦,୫୮,୧୪୩ ଟଙ୍କା ରହିଛି । ତେବେ ନବୀନ ଓ ଜଗନ ଉଭୟେ ଯଥାକ୍ରମେ ବିଜେଡି ଓ ୱାଇଏସଆର ଭଳି ଆଞ୍ଚଳିକର ନେତୃତ୍ୱ ନେଉଥିବାବେଳେ ପେମା ଖାଣ୍ଡୁ ହେଉଛନ୍ତି ବିଜେପି ଦଳର ।

ତେବେ ଏହି ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ସବୁଠୁ ତଳେ ରହିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତୃଣମୂଳ କଂଗ୍ରେସ ନେତ୍ରୀ ମମତାଙ୍କ ମୋଟ ସମ୍ପତ୍ତିର ପରିମାଣ ୧୫,୩୮,୦୨୯ ଟଙ୍କା । ସେ ଦେଶର ସବୁଠାରୁ କମ୍‍ ସମ୍ପତ୍ତି ଥିବା ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ତାଙ୍କର କୌଣସି ସ୍ଥାବର ସମ୍ପତ୍ତି ନାହିଁ । ତାଙ୍କ ଉପରକୁ ରହିଛନ୍ତି କେରଳର ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ । ସିପିଆଇଏମ୍‍ ନେତା ଶ୍ରୀ ବିଜୟନଙ୍କ ସମ୍ପତ୍ତି ପରିମାଣ ୧,୧୮,୭୫,୭୬୬ ଟଙ୍କା । ତାଙ୍କ ଉପରେ ଅଛନ୍ତି ହରିୟଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର । ବିଜେପି ନେତା ଶ୍ରୀ ଖଟ୍ଟରଙ୍କ ସମ୍ପତ୍ତି ପରିମାଣ ହେଉଛି ୧,୨୭,୦୦,୯୮୫ କୋଟି ଟଙ୍କା ।

ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପଛକୁ ଯଥାକ୍ରମେ ନାଗାଲ୍ୟାଣ୍ଡ, ପୁଡୁଚେରୀ, ତେଲେଙ୍ଗାନା, ଛତିଶଗଡ, ଆସାମ, ମେଘାଳୟ, ତ୍ରିପୁରା, ମହାରାଷ୍ଟ୍ର, ଗୋଆ, କର୍ଣ୍ଣାଟକ, ତାମିଲନାଡୁ, ଝାଡଖଣ୍ଡ, ଗୁଜୁରାଟ, ହିମାଚଳପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ସିକ୍କିମ, ମିଜୋରାମ, ଦିଲ୍ଲୀ, ବିହାର, ପଞ୍ଜାବ, ଉତ୍ତରପ୍ରଦେଶ ଓ ମଣିପୁର ଆଦିର ମୁଖ୍ୟମନ୍ତ୍ରୀମାନେ ରହିଛନ୍ତି ।

ସେହିଭଳି ଏଡିଆର ତାହାର ରିପୋର୍ଟରେ ଦର୍ଶାଇଛି ଯେ ବର୍ତ୍ତମାନ ଦେଶରେ ମମତା ବାନାର୍ଜୀ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ଥିବାବେଳେ ଅନ୍ୟ ସମସ୍ତ ୨୯ଜଣ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପୁରୁଷ । ସେହିପରି ମୁଖ୍ୟମନ୍ତ୍ରୀମାନଙ୍କ ଶିକ୍ଷାଗତ ଯୋଗ୍ୟତାର ସୂଚନାରୁ ଜଣାପଡିଛି ଯେ ଜଣେ ମୁଖ୍ୟମନ୍ତ୍ରୀ ୧୦ମ ପାଶ୍‍ କରିଥିବାବେଳେ ୩ଜଣ ଦ୍ୱାଦଶ, ୧୧ଜଣ ସ୍ନାତକ, ୪ଜଣ ସ୍ନାତକ ବୃତ୍ତିଧାରୀ, ୯ଜଣ ସ୍ନାତକୋତ୍ତର, ଜଣେ ଡିପ୍ଲୋମା ଓ ଜଣେ ଡିଗ୍ରୀଧାରୀ ରହିଛନ୍ତି ।

ସେହିପରି ୩୦ରୁ ୪୦ ବର୍ଷ ବୟସ ମଧ୍ୟରେ ଜଣେ ମୁଖ୍ୟମନ୍ତ୍ରୀ ଥିବାବେଳେ ୭ଜଣ ମୁଖ୍ୟମନ୍ତ୍ରୀଙ୍କ ବୟସ ୪୧ରୁ ୫୦ବର୍ଷ ମଧ୍ୟରେ, ୫୧ରୁ ୬୦ ବର୍ଷ ଏବଂ ୬୧ ରୁ ୭୦ ବର୍ଷ ବୟସ ମଧ୍ୟରେ ୯ଜଣ କରି ମୁଖ୍ୟମନ୍ତ୍ରୀ ରହିଥିବାବେଳେ ୭୧ ରୁ ୮୦ ବର୍ଷ ବୟସର ୪ଜଣ ମୁଖ୍ୟମନ୍ତ୍ରୀ ରହିଛନ୍ତି ।

ଅପରାଧ ମାମଲା କ୍ଷେତ୍ରରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆର ସବୁଠାରୁ ଆଗରେ ରହିଛନ୍ତି । ରିପୋର୍ଟ ଅନୁସାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ନାଁରେ ସର୍ବମୋଟ ମୋଟ ୬୪ଟି ଅପରାଧିକ ମାମଲା ଥିବାବେଳେ, ଏଥି ମଧ୍ୟରୁ ୩୭ଟି ସଙ୍ଗୀନ ମାମଲା ରହିଛି । ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ନାଁରେ ସର୍ବମୋଟ ୪୭ଟି ମାମଲା ରହିଛି ଯାହା ଭିତରୁ ୧୦ଟି ସଙ୍ଗୀନ ମାମଲା ରହିଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ନାଁରେ ୩୮ ମୋଟ ମାମଲା ଅଛି ଓ ସେଥି ମଧ୍ୟରୁ ୩୫ ସଙ୍ଗୀନ ମାମଲା ଥିବା ସୂଚନା ଦିଆଯାଇଛି । ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁରେ ୧୮ଟି ମାମଲା ଥିବାବେଳେ ଗୋଟିଏ ସଙ୍ଗୀନ ମାମଲା ରହିଛି । କେବଳ ସେତିକି ନୁହେଁ ଏହି ସବୁ ମୁଖ୍ୟମନ୍ତ୍ରୀଙ୍କ ନାଁରେ ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ଏବଂ ଅପହରଣ କାର୍ଯ୍ୟକଳାପ ପ୍ରବର୍ତ୍ତାଇବା ପରି ଗମ୍ଭୀର ମାମଲା ରହିଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ କୌଣସି ମାମଲା ନଥିବା ଏଡିଆର ରିପୋର୍ଟରୁ ଜଣାପଡିଛି ।

Related Posts