ଶରଦ ପାୱାରଙ୍କ ଇସ୍ତଫାକୁ ଅଗ୍ରାହ୍ୟ କଲା ଏନସିପି

ଭୁବନେଶ୍ୱର,୫/୫(ସତ୍ୟପାଠ ବ୍ୟୁରୋ): ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ହଠାତ୍ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ସଭାପତି ପଦରୁ ଶରଦ ପାୱାର ଇସ୍ତଫା ଘୋଷଣା କରିଥିବା ବେଳେ ଆଜି ଏହାକୁ ଏନସିପିର ବରିଷ୍ଠ ନେତାମାନଙ୍କୁ ନେଇ ଆୟୋଜିତ ବୈଠକରେ ଅଗ୍ରାହ୍ୟ କରି ଦିଆଯାଇଛି। ଏନସିପି ପ୍ୟାନେଲ ଶରଦ ପାୱାରଙ୍କୁ ଇସ୍ତଫାପତ୍ର ଫେରାଇ ନେବାକୁ କହିଛି।

ଶରଦ ପାୱାର ହଠାତ୍ ଇସ୍ତଫା ସମ୍ପର୍କରେ ଘୋଷଣା କରିବାରୁ ଆଜି ମୁମ୍ବାଇରେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହାପୂର୍ବରୁ ଏନସିପିର କର୍ମକର୍ତ୍ତା ଶରଦ ପାୱାରଙ୍କ ଇସ୍ତଫାକୁ ବିରୋଧ କରି ବିକ୍ଷୋଭ କରିଥିଲେ। ଏଥିସହ କିଛି କର୍ମକର୍ତ୍ତା ଆତ୍ମଦାହ ପାଇଁ ମଧ୍ୟ ଧମକ ଦେଇଥିଲେ। ୧୯୯୯ରେ ଏନସିପି ଗଠନ ହେବା ଦିନ ଠାରୁ ଶରଦ ପାୱାର ଏହାର ମୁଖ୍ୟ ଭାବେ କାମ କରୁଛନ୍ତି। ତେବେ କିଛି ଦିନ ତଳେ ୮୨ ବର୍ଷୀୟ ପାୱାର ନିଜ ପଦରୁ ଇସ୍ତଫା ଦେବାକୁ ଚାହୁଁଥିବା ଘୋଷଣା କରିଥିଲେ। ହେଲେ ଏନସିପି ପ୍ୟାନେଲ ତାଙ୍କର ଇସ୍ତଫାପତ୍ରକୁ ଆଜି ଅଗ୍ରାହ୍ୟ କରି ଦେଇଛି।

ଆଜିର ବୈଠକରେ ଶରଦ ପାୱାରଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ ଓ ପୁତୁରା ଅଜିତ ପାୱର ମଧ୍ୟ ଉପସ୍ଥିତ ଥିଲେ। ଏନସିପି ନେତା ପ୍ରଫୁଲ ପଟେଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା ଓ ସେ ଶରଦ ପାୱାରଙ୍କ ଉତ୍ତରାଧିକାରୀକୁ ନେଇ ଆରମ୍ଭ ହୋଇଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ୩ ଦିନ ତଳେ ଶରଦ ପାୱାର ଇସ୍ତଫା ଘୋଷଣା କରିବା ପରେ ସୁପ୍ରିୟା ଏନସିପିର ଦାୟିତ୍ୱ ନେବେ ଓ ଅଜିତ ପାୱାର ଦଳର ମହାରାଷ୍ଟ୍ର ଚେହେରା ବନିବେ ବୋଲି କୁହାଯାଇଥିଲା। ହେଲେ ଆଜି ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ବୈଠକ ପରେ ପ୍ରଫୁଲ ପଟେଲ କହିଛନ୍ତି, ସେଦିନ ଶରଦ ପାୱାର ଯାହା ବି କହିଥିଲେ, ସେସବୁ ଆମକୁ ଚକିତ କରିଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶରଦ ପାୱାର ଏପରି କିଛି ଘୋଷଣା କରିବେ ବୋଲି ଆମର ଆଶା ନଥିଲା। ସେ ଇସ୍ତଫା ସମ୍ପର୍କରେ ଘୋଷଣା କରିବା ପରେ କ’ଣ ସବୁ ହେଲା ଓ ଲୋକମାନେ କେମିତି ନିଜର ଭାବନା ପ୍ରକାଶ କଲେ, ସେକଥା ଆପଣମାନେ ସମସ୍ତେ ଦେଖିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ପରେ ବରିଷ୍ଠ ନେତାମାନେ ଅନେକ ଥର ଶରଦ ପାୱାରଙ୍କୁ ଭେଟିଥିଲେ। ଦେଶ, ରାଜ୍ୟ ଓ ପାର୍ଟି ତାଙ୍କୁ ନେତା ଭାବେ କାମ କରିବାକୁ ଚାହୁଁଥିବା ଆମେ ବାରମ୍ବାର କହିଛୁ। ଶରଦ ପାୱାର ହେଉଛନ୍ତି ଦେଶର ସବୁଠାରୁ ବଡ଼ ଓ ସମ୍ମାନସ୍ପଦ ନେତା ବୋଲି ସେ କହିଛନ୍ତି।

ଆଜି ଏନସିପି ପ୍ୟାନେଲ ଶରଦ ପାୱାରଙ୍କ ଇସ୍ତଫାପତ୍ରକୁ ଅଗ୍ରାହ୍ୟ କରିବା ପରେ କର୍ମକର୍ତ୍ତାମାନେ ଉତ୍ସବ ମନାଇଛନ୍ତି। ମହାରାଷ୍ଟ୍ର ଏନସିପି କାର୍ଯ୍ୟାଳୟ ବାହାରେ ସେମାନେ ଏକାଠି ହେବା ସହ ଶରଦ ପାୱାରଙ୍କ ସମର୍ଥନରେ ନାରା ଦେଇଛନ୍ତି।

Related Posts