ଭୁବନେଶ୍ୱର,2/1(ସତ୍ୟପାଠ ବ୍ୟୁରୋ): ନିର୍ବାଚନ ପୂର୍ବରୁ ଦଳ ଡିଆଁ ନେତା ସାବଧାନ। ଏବେ ଅନ୍ୟ ଦଳରୁ ଆସି ବିଜେପିରେ ଯୋଗଦେବାକୁ ଚାହିଁଲେ, ସହଜରେ ମିଳିବନି ଏଣ୍ଟ୍ରି । ତେବେ ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ବିଜେପି ଏଥିପାଇଁ ଏକ କମିଟି ଗଠନ କରିଛି । ଏହି କମିଟି ଅନ୍ୟ ଦଳରୁ ଆସୁଥିବା ନେତାଙ୍କ ଯାଞ୍ଚ କରିବା ସହିତ, ସଦସ୍ୟତା ନେଇ ଅନୁମତି ଦେବ । ତେବେ ଏହି କମିଟି ଦଳରେ ସାମିଲ ହେବାକୁ ଥିବା ନେତାଙ୍କ ଇତିହାସ ଓ କ୍ୟାରିୟର ଆକଳନ କରିବା ନେଇ ଦଳପକ୍ଷରୁ ସୂଚନା ମିଳିଛି ।
ଏହି କମିଟିର ବିନା ଅନୁମତିରେ ଅନ୍ୟ ଦଳରୁ ଆସୁଥିବା କୌଣସି ନେତାଙ୍କୁ ପାର୍ଟିରେ ସାମିଲ କରାଯିବ ନାହିଁ। ଏହି କମିଟିର ପ୍ରଥମ ବୈଠକ ଜାନୁଆରୀ ୬ ହେବ । ଦଳ ଡିଆଁ ନେତାଙ୍କୁ ପାର୍ଟିରେ ଏଣ୍ଟ୍ରି ନଦିଆଯିବା ଏହି କମିଟି ଗଠନର କାରଣର ମୁଖ୍ୟ କାରଣ ବୋଲି କୁହାଯାଇଛି, ଯେଉଁମାନେ ଦୀର୍ଘ ସମୟ ଯାଏ ପାର୍ଟି ପାଇଁ ସମର୍ଥିତ ରହିବେ ସେମାନେ ହିଁ ଏଣ୍ଟ୍ରି ପାଇବେ । ଅପରପକ୍ଷରେ ନେତାଙ୍କ ସାମିଲ ହେବାକୁ ନେଇ ବିଜେପି ସତର୍କ ରହିବାକୁ ଚାହୁଁଛି ଏବଂ ପୂର୍ବ ଦୁର୍ନୀତିରେ ସାମିଲ ଥିବା ନେତାଙ୍କ ପାଇଁ ବିରୋଧୀଙ୍କ ଟାର୍ଗେଟ ନହେବାକୁ ଚେଷ୍ଟା କରୁଛି। ଏହାବ୍ୟତୀତ ଆୟା ରାମ, ଗୟା ରାମ ଚିନ୍ତାଧାର ଥିବା ନେତାଙ୍କଠାରୁ ମଧ୍ୟ ସତର୍କ ରହିବାକୁ ପାର୍ଟି ଚାହୁଁଛି।
ତେବେ ନିକଟ ଅତୀତରେ ବିଜେପିକୁ ପଶ୍ଚିମବଙ୍ଗରେ ଏପରି ପରିସ୍ଥିତିର ସାମନା କରିବାକୁ ପଡ଼ିଥିଲା । ଟିଏମସିରୁ ଆସିଥିବା ମୁକୁଲ ରୟ ଏବଂ ବାବୁଲ ସୁପ୍ରିୟୋଙ୍କୁ ପାର୍ଟି ଅଧିକ ଗୁରୁତ୍ୱ ଦେଇଥିଲା । କିନ୍ତୁ ଏହି ନେତାମାନେ ବିଧାନସଭା ନିର୍ବାଚନରେ ପରାଜୟ ପରେ ଦଳ ଛାଡି ଦେଇଥିଲେ।





