ଭୁବନେଶ୍ୱର: ଓଡିଶା ଆସିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ | ଆସନ୍ତାକାଲି ସେ ଓଡ଼ିଶା ଆସିବା ନେଇ ସୂଚନା ମିଳିଛି | ତେବେ ତାଙ୍କ ଆସିବା ଖବରକୁ ନେଇ ତାଙ୍କ ସ୍ୱାଗତ ପାଇଁ ସରକାରଙ୍କ ପକ୍ଷରୁ ଭବ୍ୟ ଆୟୋଜନ କରାଯାଇଛି |
ସୂଚନା ଅନୁଯାୟୀ, ସେ ସାଢ଼େ ୧୦ଟା ବେଳେ ବିଧାନସଭାକୁ ଆସିବେ ବୋଲି ଜଣାଯାଇଛି। ବିଧାନସଭାର ୫୪ ନମ୍ବର କକ୍ଷରେ ଏଥିଲାଗି ସ୍ବତନ୍ତ୍ର ଆୟୋଜନ ହେଉଛି। ଏଥିରେ ବିଜେଡିର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ ବୋଲି ଜଣାଯାଇଛି।
ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଥମେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବେ। ତାପରେ ସେ ବିଧାନସଭାକୁ ଆସିବେ। ନିଜ ସପକ୍ଷରେ ସମର୍ଥନ ଲାଗି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସୁଛନ୍ତି। ସେ ସବୁ ଦଳର ସମର୍ଥନ ଲାଗି ପ୍ରୟାସ ଚଳାଇଛନ୍ତି।
ଆଗରୁ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ କଥା ହୋଇଛନ୍ତି। ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ଶୁଭେଚ୍ଛା ଜଣାଇଛନ୍ତି। ଏଥି ସହିତ ନବୀନ କହିଛନ୍ତି ଯେ, ଦ୍ରୌପଦୀଙ୍କ ପ୍ରାର୍ଥିତ୍ୱ ରାଜ୍ୟବାସୀଙ୍କ ପାଇଁ ଗୌରବର ମୁହୂର୍ତ୍ତ। ଓଡ଼ିଶାର ସବୁ ଭୋଟ ତାଙ୍କୁ ମିଳିବା ପାଇଁ ଆମେ କାର୍ଯ୍ୟ ଜାରି ରଖିବୁ।
ସୂଚନାଯୋଗ୍ୟ, ବିଜେପି ସମର୍ଥିତ ଏନ୍ଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁୁ ପ୍ରାର୍ଥୀ କରାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଥାଇ ଶୁଭେଚ୍ଛା ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଥିଲେ ଯେ, ଦେଶର ସର୍ବୋଚ୍ଚ ପଦବି ପାଇଁ ଏନଡିଏ ପକ୍ଷରୁ ପ୍ରାର୍ଥିନୀ ହୋଇଥିବା ଦ୍ରୌପଦୀ ମୁର୍ମୁଙ୍କୁ ମୋର ଶୁଭେଚ୍ଛା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ମୋ ସହ ଆଲୋଚନା କରିବା ବେଳେ ବହୁତ ଖୁସି ହୋଇଥିଲି।





