ଭୁବନେଶ୍ୱର,୦୧/୦୭ (ସତ୍ୟପାଠ ବ୍ୟୁରୋ): ଅବହେଳା ଓ ମନୁଷ୍ୟକୃତ ତ୍ରୁଟି ପାଇଁ ଘଟିଥିଲା ବାହାନଗା ଟ୍ରେନ୍ ଦୁର୍ଘଟଣା। ତଦନ୍ତ ପରେ କମିଶନ ଅଫ ରେଲୱେ ସେଫ୍ଟି ରେଳ ବିଭାଗରେ ଦାଖଲ କରିଥିବା ରିପୋର୍ଟରୁ ଏହା ଜଣା ପଡ଼ିଥିବା ନେଇ ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ କରିଛି ।
ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ, ବିଶେଷ କରି ସିଗନାଲିଂ ଓ ଟେଲି କମ୍ୟୁନିକେସନ୍ ବିଭାଗରେ ଷ୍ଟାଫଙ୍କ ତ୍ରୁଟି ଯୋଗୁଁ ଏତେବଡ଼ ଦୁର୍ଘଟଣା ଘଟିଥିବା ଦର୍ଶାଯାଇଛି। ତେବେ ଏହି ଘଟଣାର ସିବିଆଇ ତଦନ୍ତ ଜାରି ରହିଥିବାରୁ କାଳେ ଏହା ତଦନ୍ତକୁ ପ୍ରଭାବିତ କରିବ, ସେଥିପାଇଁ ରେଲୱେ ପକ୍ଷରୁ ଏହି ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ।
ତେବେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ କେବଳ ଟେକ୍ନିକାଲ ତ୍ରୁଟି ନେଇ ସେଫ୍ଟି କମିଶନର ରିପୋର୍ଟ ଦେଇଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣା ପଛରେ କୌଣସି ଅନ୍ତର୍ଘାତୀ ଷଡ଼ଯନ୍ତ୍ର ହୋଇଛି କି ନାହିଁ ସେନେଇ ସିବିଆଇ ତଦନ୍ତ କରୁଛି ଓ ତଦନ୍ତ ପରେ ହିଁ ଏନେଇ ସ୍ପଷ୍ଟ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ, ଗତ ଜୁନ୍ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ନିକଟରେ ମର୍ମନ୍ତୁଦ ରେଳ ଦୁର୍ଘଟଣା ହୋଇଥିଲା। କରମଣ୍ଡଳ ଏକ୍ସପ୍ରେସ୍ ପ୍ରଥମେ ଏକ ମାଲଗାଡ଼ିକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିଲା। ଟ୍ରାକରୁ ଖସି ଥିବା ବଗିଗୁଡ଼ିକ ଅନ୍ୟ ଏକ ଟ୍ରାକ୍ରେ ପଡ଼ିଥିବା ବେଳେ ତାହାକୁ ଯଶୱନ୍ତପୁର ହାୱଡ଼ା ଟ୍ରେନ ଧକ୍କା ଦେଇଥିଲା। ସରକାରୀ ଟାହ୍ୟା ଅନୁସାରେ ଏହି ଦୁର୍ଘଟଣାରେ ୨୯୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 1100 ଲୋକ ଆହତ ହୋଇଥିଲେ।





