ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ନରେନ୍ଦ୍ର ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କେନ୍ଦ୍ରର ବିଜେପି ସରକାର ଇଡ଼ି ଓ CBI ର ଅପବ୍ୟବହାର କରୁଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି | ଏହାସହିତ ଆମେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଆଗରେ କେବେ ମୁଣ୍ଡ ନୁଆଁଇବୁ ନାହିଁ ବୋଲି ମମତା କହିଛନ୍ତି।
ତେବେ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ମମତାଙ୍କ ପୁତୁରା ତଥା ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ନ ମିଳିବା ପରେ ମମତା ଏହି ବୟାନ ଦେଇଛନ୍ତି। ଏହି ମାମଲାରେ କୋଲକାତା ହାଇକୋର୍ଟ ଅଭିଷେକ ବାନାର୍ଜୀଙ୍କୁ ସିବିଆଇ ଓ ଇଡିର ପଚରାଉଚରାରୁ ଅନ୍ତରୀଣ ଆଶ୍ୱସ୍ତି ଦେବାକୁ ମନା କରିଦେଇଥିଲେ । ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଆଉ ସୁପ୍ରିମକୋର୍ଟ ଆଜି ହାଇକୋର୍ଟଙ୍କ ରାୟକୁ ବଳବତ୍ତର ରଖିବା ସହିତ ରାଜ୍ୟ ସରକାରଙ୍କ ଆବେଦନକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।
ସେପଟେ ବିଜେପି ପଶ୍ଚିମବଙ୍ଗରେ ଟିଏମସି ବିରୋଧରେ କଂଗ୍ରେସ ଓ ସିପିଆଇଏମ୍କୁ ବ୍ୟବହାର କରିବାକୁ ଚେଷ୍ଟା କରୁଛି ବୋଲି ମମତା ଅଭିଯୋଗ କରିଛନ୍ତି | ତେବେ ସେ ଇଣ୍ଡିଆ ମେଣ୍ଟରେ ଅଛନ୍ତି ଓ ବିଜେପି ଯେତେ ଚେଷ୍ଟା କଲେ ମଧ୍ୟ ଏହି ମେଣ୍ଟକୁ ଭାଙ୍ଗି ପାରିବ ନାହିଁ ବୋଲି ସେ କହିଛନ୍ତି | ଏହାସହିତ ବିଜେପି ଦେଶରେ ଧର୍ମ ଧର୍ମ ମଧ୍ୟରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରୁଛି, ଆଉ ଏହାର ଜବାବ 2024ରେ ଜନତା ଦେବେ ବୋଲି ସେ କହିଛନ୍ତି | ଏହାସହିତ ମୋଦୀ ଆଉ ମାତ୍ର ୬ ମାସ ଶାସନରେ ରହିବେ ବୋଲି କହି ମମତା ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି |
ସେପଟେ ମମତାଙ୍କ ଏଭଳି ମନ୍ତବ୍ୟ ଉପରେ ବିଜେପିର କୌଣସି ପ୍ରତିକ୍ରିୟା ମିଳିନାହିଁ |





