ଶିଶୁ ସୁରକ୍ଷା ପାଇଁ ଓଡ଼ିଶା ପୁଲିସର ନୂଆ ପଦକ୍ଷେପ: ସମଗ୍ର ପୁଲିସ ବ୍ୟବସ୍ଥାକୁ ‘ଶିଶୁ ଅନୁକୂଳ’ କରିବାକୁ ଡିଜିପିଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର:ଓଡ଼ିଶା ପୁଲିସ୍ ଏବଂ ୟୁନିସେଫ୍‌ର ମିଳିତ ସହଯୋଗରେ ଶନିବାର ଭୁବନେଶ୍ୱରସ୍ଥିତ ପୁଲିସ୍ ଭବନରେ ‘ଜୁଭେନଟିକା–ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଡିଜିଟାଲ୍ ଦୁନିଆରେ ଶିଶୁମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ ଓ ସମ୍ଭାବନାକୁ ନେଇ ପ୍ରଶାସକ, ବରିଷ୍ଠ ପୁଲିସ୍ ଅଧିକାରୀ, ଶିକ୍ଷାବିଦ୍, ଅଭିଭାବକ, ଛାତ୍ରଛାତ୍ରୀ ଓ ଶିଶୁ ଅଧିକାର ବିଶେଷଜ୍ଞମାନେ ଏଥିରେ ଯୋଗଦେଇଥିଲେ।ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶିଶୁମାନଙ୍କ ପ୍ରତି ବୃଦ୍ଧି ପାଉଥିବା ସାଇବର ବିପଦ ଓ ଏହାର ମୁକାବିଲାରେ ଆଇନ ପ୍ରଣୟନକାରୀ ସଂସ୍ଥାମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ରାଜ୍ୟରେ ସାଇବର ସଚେତନତା ବୃଦ୍ଧି ପାଇଁ ୨୦ଟି ନୂତନ ସାଇବର ପୁଲିସ୍ ଷ୍ଟେସନ ସ୍ଥାପିତ ହୋଇଛି ଏବଂ ବୈଷୟିକ ସହଯୋଗ ପାଇଁ ସାଇବର ବିଶେଷଜ୍ଞମାନଙ୍କୁ ନିୟୋଜିତ କରାଯାଉଛି। ସେଥିସହ ୭୧ଟି ପୁଲିସ୍ ଷ୍ଟେସନରେ ‘ଶିଶୁ ଅନୁକୂଳ ସ୍ଥାନ’ (ଫ୍ରେଣ୍ଡ୍ଲି କର୍ଣ୍ଣର) ଉନ୍ନତ କରାଯାଇଥିବା ବେଳେ ଆଗାମୀ ଦିନରେ ସମଗ୍ର ଓଡ଼ିଶା ପୁଲିସକୁ ଶିଶୁ ଅନୁକୂଳ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ।ଆରକ୍ଷୀ ମହାନିର୍ଦେଶକ (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର କହିଥିଲେ ଯେ, ଭାରତରେ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା ୨୦୧୧ରେ ୧୨୫ ମିଲିୟନ୍ ଥିବା ବେଳେ ୨୦୨୧ରେ ଏହା ୮୪୫ ମିଲିୟନ୍‌କୁ ପହଞ୍ଚିଛି। ସାଇବର ୱିଙ୍ଗର ‘ଚିଲଡ୍ରେନ୍ ଆଣ୍ଡ ୱିମେନ୍ ଅନଲାଇନ୍ ଆବ୍ୟୁଜ୍ ମନିଟରିଂ ୟୁନିଟ୍’ ମାଧ୍ୟମରେ ଅନଲାଇନ୍‌ରେ ଥିବା କ୍ଷତିକାରକ ଓ ଅଶ୍ଳୀଳ ବିଷୟବସ୍ତୁ (CSEAM) ହଟାଇବା ପାଇଁ ପଦକ୍ଷେପ ନିଆଯାଉଥିବା ସେ ସୂଚନା ଦେଇଥିଲେ।ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (CAW & CW) ଶାଇନି ଏସ୍‌ ଶିଶୁ, ଅଭିଭାବକ ଓ ଶିକ୍ଷକମାନଙ୍କୁ ସୁରକ୍ଷିତ ଇଣ୍ଟରନେଟ୍ ବ୍ୟବହାର ନେଇ ସଚେତନ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ୟୁନିସେଫ୍ ଓଡ଼ିଶା କ୍ଷେତ୍ର କାର୍ଯ୍ୟାଳୟ ମୁଖ୍ୟ ପ୍ରଶାନ୍ତ କୁମାର ଦାଶ କହିଥିଲେ, ଶିଶୁମାନେ କେବଳ ଡିଜିଟାଲ୍ ଦୁନିଆର ଉପଭୋକ୍ତା ନୁହେଁ, ସେମାନେ ଶିକ୍ଷାର୍ଥୀ ଓ ସୃଷ୍ଟା ମଧ୍ୟ; ତେଣୁ ଡିଜିଟାଲ୍ ସୁରକ୍ଷା ଆଲୋଚନାର କେନ୍ଦ୍ରବିନ୍ଦୁରେ ସେମାନଙ୍କ ସ୍ୱର ରହିବା ଆବଶ୍ୟକ।କାର୍ଯ୍ୟକ୍ରମରେ ସେଲିବ୍ରିଟି ଓ ଇନଫ୍ଲୁଏନ୍ସରମାନଙ୍କ ସହ ଆଲୋଚନା କରାଯାଇଥିଲା, ଯେଉଁଠାରେ ସୋସିଆଲ୍ ମିଡିଆ ଟ୍ରେଣ୍ଡ୍ କିପରି କିଶୋର-କିଶୋରୀଙ୍କ ଆଚରଣକୁ ପ୍ରଭାବିତ କରୁଛି ସେଥିରେ ଚର୍ଚ୍ଚା ହୋଇଥିଲା।ଆଲୋଚନାଚକ୍ରରେ ଶିଶୁମାନଙ୍କ ଡିଜିଟାଲ୍ ସୁରକ୍ଷା ପାଇଁ କେତେକ ମୁଖ୍ୟ ପଦକ୍ଷେପ ଘୋଷଣା କରାଯାଇଥିଲା। ଓଡ଼ିଶା ପୁଲିସ୍ ପକ୍ଷରୁ ‘ରକ୍ଷା ସାଥୀ’ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ଆରମ୍ଭ ହେବା ସହିତ ଶିଶୁ କଲ୍ୟାଣ ପୋଲିସ୍ ଅଧିକାରୀମାନଙ୍କ (CWPO) ପାଇଁ ଉନ୍ନତ ପ୍ରଶିକ୍ଷଣ ଦିଆଯିବ। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଠ୍ୟକ୍ରମରେ ଡିଜିଟାଲ୍ ନିରାପତ୍ତା, ‘ଡିଜିଟାଲ୍ ହାଇଜିନ୍’ ଓ ‘ସାଇକୋ-ସୋସିଆଲ୍ ଫାଷ୍ଟ ଏଡ୍’ ଅନ୍ତର୍ଭୁକ୍ତ କରାଯିବ। ପୁଲିସ୍ ଓ ଶିକ୍ଷା ବିଭାଗ ମିଳିତ ଭାବେ ଅଭିଭାବକ-ଶିକ୍ଷକ ବୈଠକ (PTM)ରେ ଶିଶୁ କଲ୍ୟାଣ ପୁଲିସ୍ ଅଧିକାରୀଙ୍କ ଅଂଶଗ୍ରହଣ ନିଶ୍ଚିତ କରିବେ।ଏହି ପଦକ୍ଷେପମାନେ ଡିଜିଟାଲ୍ ଯୁଗରେ ଶିଶୁମାନଙ୍କ ସୁରକ୍ଷା ଓ ସଚେତନତା ବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲସ୍ଟୋନ୍ ହେବ ବୋଲି ଆଶା କରାଯାଉଛି।

Related Posts