ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ଇଷ୍ଟ ଇଣ୍ଡିଆ କମ୍ପାନିର ନୂଆ ସଂସ୍କରଣ: କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ‘ଇଣ୍ଡିଆ’ ନାମରେ ନୂଆ ବିରୋଧୀ ମେଣ୍ଟ ଗଠନ ଆଉ କିଛି ନୁହେଁ, ଏହା ଇଷ୍ଟ ଇଣ୍ଡିଆ କମ୍ପାନିର ଏକ ନୂଆ ସଂସ୍କରଣ ବୋଲି ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ କହିଛନ୍ତି। ଉଡୁପିଠାରେ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ବିଜେପି ନେତ୍ରୀ କହିଛନ୍ତି ଯେ, ଯେଉଁମାନେ ୬୦ ବର୍ଷ ଧରି ଦେଶକୁ ଲୁଟିଥିଲେ ସେମାନେ ଏବେ କ୍ଷମତା ପାଇଁ ଏକାଠି ହୋଇଛନ୍ତି।

ଏହା ବର୍ତ୍ତମାନ ‘ଇଣ୍ଡିଆ ବନାମ ଭାରତ’ର ଲଢ଼େଇ। ଯେଉଁମାନେ ବେଙ୍ଗାଲୁରୁ ବୈଠକରେ ସମ୍ମିଳିତ ହୋଇଥିଲେ ସେମାନେ ସମସ୍ତେ ଜଣେ ଜଣେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ସେ କଟାକ୍ଷ କରି କହିଥିଲେ।

କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ କରନ୍ଦଲାଜେ କହିଥିଲେ ଯେ, ମେଣ୍ଟର ‘ଇଣ୍ଡିଆ’ ନାମକରଣ ଏମ୍‌ବ୍ଲେମ୍ସ ଆଣ୍ଡ୍ ନେମ୍ସ (ପ୍ରିଭେନ୍ସନ ଅଫ୍ ଇମ୍ପ୍ରପର ୟୁଜ୍) ଆକ୍ଟ, ୧୯୫୦ର ଉଲ୍ଲଂଘନ। କର୍ଣ୍ଣାଟକର କଂଗ୍ରେସ ସରକାର ଯେଉଁ ୫ଟି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିବାରେ ବ୍ୟର୍ଥ ହୋଇଛନ୍ତି। ଆଉ ୪ ମାସ ଭିତରେ ରାଜ୍ୟର ପରିବହନ ନିଗମ ବନ୍ଦ ହେବାକୁ ଯାଉଛି କାରଣ ମହିଳାଙ୍କୁ ସାଧାରଣ ପରିବହନ ବ୍ୟବସ୍ଥାରେ ମାଗଣା ଯାତ୍ରା କରିବାର ସୁବିଧା ଦେଉଥିବା ‘ଶକ୍ତି’ ଯୋଜନା ପାଇଁ ବଜେ‌ଟରେ କୌଣସି ପାଣ୍ଠିର ବ୍ୟବସ୍ଥା ନାହିଁ। କେନ୍ଦ୍ର ‘ଅନ୍ନ ଭାଗ୍ୟ’ ଯୋଜନା ପାଇଁ ଚାଉଳ ଦେଉନି ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି କିନ୍ତୁ ଚାଉଳ ପାଇବା ପାଇଁ ସେମାନେ ଏଫ୍‌ସିଆଇର ନିଲାମ ପ୍ରକ୍ରିୟାରେ ଭାଗ ନେଇ ନ ଥିବା କରନ୍ଦଲାଜେ ଅଭିଯୋଗ କରିଛନ୍ତି।

Related Posts