ଆରମ୍ଭ ହେଲା ନୂଆବର୍ଷ: ବିଶ୍ୱର ପ୍ରଥମ ଦେଶ ଭାବେ ୨୦୨୩କୁ ସ୍ଵାଗତ କଲା ନ୍ୟୁଜଲ୍ୟାଣ୍ଡ

ଭୁବନେଶ୍ୱର,୩୧/୧୨(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା ଏହାପରେ ଭାରତରେ ନୂଆ ବର୍ଷକୁ ସ୍ୱାଗତ କରାଯିବ। ୨୦୨୩ ସ୍ୱାଗତରେ ଉତ୍ସବ ପାଳନ ହେବ ସାରା ଦେଶ। ୨୦୨୨କୁ ବିଦାୟ ଦିଆଯିବ। ତେବେ ଦୀର୍ଘ ୨ ବର୍ଷ ପରେ ବିଶ୍ୱ ବିନା କରୋନା କଟକଣାରେ ନୂଆବର୍ଷକୁ ସ୍ୱାଗତ କରୁଛି। ଏହାକୁ ନେଇ ଭାରତରେ ମଧ୍ୟ ଲୋକେ ନୂଆବର୍ଷ ସ୍ୱାଗତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ ପଡୋଶୀ ଚୀନ୍‌ରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସରକାର ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି ।

ଅନ୍ୟପଟେ ନ୍ୟୁଜଲ୍ୟାଣ୍ଡରେ ନବବର୍ଷ ସ୍ୱାଗତ ଉତ୍ସବ ଆରମ୍ଭ ହୋଇଯାଇଛି। ସାରା ବିଶ୍ୱରେ ନ୍ୟୁଜିଲ୍ୟାଣ୍ଡ ୨୦୨୩କୁ ପ୍ରଥମେ ସ୍ୱାଗତ କରିଛି। ସେଠାରେ ଲୋକେ ଧୂମଧାମରେ ନୂଆ ବର୍ଷ ପାଳନ କରିବା ଆରମ୍ଭ କରିଛନ୍ତି। ଅକଲ୍ୟାଣ୍ଡରେ ଲୋକେ ଆତସବାଜୀ ସହ ୨୦୨୨କୁ ବିଦାୟ ଦେଇଥିବା ବେଳେ ୨୦୨୩କୁ ସ୍ୱାଗତ କରିଛନ୍ତି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡରେ ନୂଆ ବର୍ଷର ଆରମ୍ଭ ସର୍ବ ପ୍ରଥମେ ହୋଇଛି।ଏହି ଅବସରରେ ଅକଲ୍ୟାଣ୍ଡର ପ୍ରଶିଦ୍ଧ ସ୍କାଏ ଟାୱାରକୁ ଝଲମଲ ଆଲୋକମାଳାରେ ସଜ୍ଜିତ କରାଯିବା ସହ ଠିକ୍ ମଧ୍ୟରାତ୍ରରେ ଆତସବାଜୀ କରାଯାଇଛି।

ସୂଚନାଯୋଗ୍ୟ ଯେ, ଭାରତରେ ଯେତେବେଳେ ଅପରାହ୍ନ ସାଢେ ୪ଟା ହୋଇଥାଏ ଅକଲ୍ୟାଣ୍ଡରେ ମଧ୍ୟରାତ୍ର ହୋଇଥାଏ। ଏଣୁ ସେଠାରେ ମଧ୍ୟରାତ୍ରରେ ପ୍ରଥମେ ନୂଆ ବର୍ଷକୁ ସ୍ୱାଗତ କରାଯାଇଛି।

Related Posts