ଆସନ୍ତା ୩ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ: ପିକ୍ ଛୁଇଁବ ବନ୍ୟା

ଭୁବନେଶ୍ୱର: ଆସନ୍ତା ୩ ଘଣ୍ଟା ବେଶ୍ ଗୁରୁତ୍ୱପୂର୍ଣ୍ଣ । ପିକ୍ ଛୁଇଁ ପରେ ବନ୍ୟା । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର।

ସେ କହିଛନ୍ତି, ମୁଣ୍ଡଳିରେ ବର୍ତ୍ତମାନ ୧୧.୬ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆଉ କିଛି ବଢ଼ିବା ପରେ ଜଳ ପ୍ରବାହ ପରିମାଣ କମିବ। ହୀରାକୁଦରେ ଜଳଭଣ୍ଡାର ଗେଟ୍‌ ଖୋଲିବା ନେଇ ଆଜି ଅପରାହ୍ଣରେ ନିଷ୍ପତ୍ତି ହେବ। କଟକର ମୁଣ୍ଡଳିଠାରେ ମହାନଦୀ ବିପଦ ସଂକେତ ଟପିଛି। ମୁଣ୍ଡଳିରେ ବିପଦ ସଂକେତ ୯୭.୨୫ ଫୁଟ୍ ରହିଥିବା ବେଳେ ଜଳସ୍ତର ୯୭.୩୦ ଫୁଟ୍ ରହିଛି। ହେଲେ କିଛି ଅସୁବିଧା ନାହିଁ।

ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆସିଛି। ବନ୍ୟା ସ୍ଥିତି ଉପରେ ନଜର ରଖିବା ପାଇଁ ଜଳ ସମ୍ପଦ ବିଭାଗର କର୍ମଚାରୀ ଓ ଅଫିସରମାନେ ଗତକାଲି ରାତିରେ ନାଇଟ୍‌ ପାଟ୍ରୋଲିଂ କରିଥିଲେ। ଏପରିକି କିଛି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ନାଇଟ୍‌ ପାଟ୍ରୋଲିଂ କରି ସ୍ଥିତି ପରିଖିଛନ୍ତି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବନ୍ୟା ସ୍ଥିତିର ସମୀକ୍ଷା କରୁଛନ୍ତି। ବରିଷ୍ଠ ଅଧିକାରୀଙ୍କୁ ନେଇ ଭିଡ଼ିଓ କନଫରେନସିଂ ସମୀକ୍ଷା କରୁଛନ୍ତି। ବୈଠକରେ ମୁଖ୍ୟ ସଚିବ, ଓ ଏସ୍‌ଆରସି ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି।

ଜଳ ପରିଚାଳନା ନେଇ ଆଜି ଅପରାହ୍ନ ୪ଟା ସମୟରେ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା ହେବ। ଦୁଇ ରାଜ୍ୟର ମୁଖ୍ୟ ସଚିବଙ୍କ ମଧ୍ୟରେ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା ହେବ।

Related Posts