ଶିଖରଚଣ୍ଡୀ ଜଳ ପ୍ରକଳ୍ପକୁ ଏନ୍‌ଜିଟି ଛାଟ: ତଦନ୍ତ ପାଇଁ ୪ ଜଣିଆ କମିଟି ଗଠନ, ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କାମ ବନ୍ଦ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର,୧୩/୬(ସତ୍ୟପାଠ ବ୍ୟୁରୋ): ଶିଖରଚଣ୍ଡୀ ପାହାଡ଼ ଉପରେ ନିର୍ମାଣାଧୀନ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପରେ ବାଜିଲା ନ୍ୟାସନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଛାଟ। ଜଙ୍ଗଲ (ସଂରକ୍ଷଣ) ଆଇନ-୧୯୮୦କୁ ଉଲ୍ଲଂଘନ କରାଯାଇ ନିର୍ମାଣ କରାଯାଇଥିବାରୁ ଏନ୍‌ଜିଟି ଉଦ୍‌ବେଗ ପ୍ରକାଶ କରିବା ସହ ତଦନ୍ତ ଲାଗି ୪ ଜଣିଆ କମିଟି ଗଠନ କରିଛନ୍ତି। ଏହାସହିତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କାମ ବନ୍ଦ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କେନ୍ଦ୍ର ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ମନ୍ତ୍ରଣାଳୟ ଆଞ୍ଚଳିକ କାର୍ଯ୍ୟାଳୟର ଚିଫ୍‌ କନ୍‌ଞ୍ଜରଭେଟର ଅଫ୍‌ ଫରେଷ୍ଟ(ସିସିଏଫ୍‌)ଙ୍କ ନେତୃତ୍ବରେ ଗଠିତ ୪ ଜଣିଆ ତଦନ୍ତ କମିଟିରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ଓ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି)ର ପ୍ରତିନିଧି ଓ ଖୋର୍ଦ୍ଧା ଜିଲ୍ଲାପାଳ ସଦସ୍ୟ ରହିଛନ୍ତି। ଏହି କମିଟି ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ଘଟଣାସ୍ଥଳ ପରିଦର୍ଶନ କରି ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିବେ। ଏଥିରେ ୱାଟକୋ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସାମିଲ କରାଯିବ।

ଗସ୍ତ ସମୟରେ କମିଟି ବେଆଇନ ଭାବେ ଗଛ କଟା, ଜୈବ ବିବିଧତା ନଷ୍ଟ, ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦିଆ ନ ଯିବା, ପାହାଡ଼ କାଟିବା ଉପରେ ତଦନ୍ତ କରିବେ। ଆସନ୍ତା ତିନି ସପ୍ତାହ ତଥା ଜୁଲାଇ ୩ ସୁଦ୍ଧା ପ୍ରକୃତ ଘଟଣା ସହ ଏଦିଗରେ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେନେଇ କମିଟି ଟ୍ରିବୁନାଲଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ। ଏଥିସହ ପ୍ରକଳ୍ପକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାରୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୫ରେ ପରବର୍ତ୍ତୀ ଶୁଣାଣି କରାଯିବ। ୪ଜଣିଆ ଯୁଗ୍ମ କମିଟି ଗସ୍ତ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯିବ। ପାହାଡ଼କୁ ସମ୍ପୂର୍ଣ୍ଣ ରୂପେ ଚିହ୍ନଟ କରିବା ସହ କେଉଁ ଅଞ୍ଚଳରେ କ’ଣ ପାଇଁ ଅନୁମତି ଦିଆଯିବ ଏବଂ କେଉଁଠି ଦିଆଯିବ ନାହିଁ ସେସମ୍ପର୍କରେ କମିଟି ସ୍ପଷ୍ଟ କରିବେ। ଆସନ୍ତା ଏକ ସପ୍ତାହ ମଧ୍ୟରେ ଆବେଦନକାରୀ ସମସ୍ତ ଡକ୍ୟୁମେଣ୍ଟ ମନ୍ତ୍ରଣାଳୟର ଆଞ୍ଚଳିକ କାର୍ଯ୍ୟାଳୟର ସିସିଏଫ୍‌, ସିପିସିବି, ଓଏସ୍‌ପିସିବି ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି।

ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଦାଖଲ ହୋଇଥିବା ଅଭିଯୋଗ ଉପରେ ଏନ୍‌ଜିଟିର ୪ଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ। ଜଷ୍ଟିସ୍‌
ଆଦର୍ଶ କୁମାର ଗୋଏଲ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଜଷ୍ଟିସ୍‌ ବି. ଅମିତ୍‌ ଥାଲେକର, ଜଷ୍ଟିସ୍‌ ଅରୁଣ କୁମାର ତ୍ୟାଗୀ, ବିଶେଷଜ୍ଞ ସଦସ୍ୟ ଏ ସାନ୍ଥିଲ୍‌ ଭେଲ୍‌ ଭର୍ଚୁଆଲ୍‌ ମାଧ୍ୟମରେ ଅଭିଯୋଗର ଶୁଣାଣି କରିଥିଲେ। ଅଭିଯୋଗକାରୀ ସଚିନ୍‌ ମହାପାତ୍ରଙ୍କ ସମେତ ରାଜ୍ୟ ସରକାରଙ୍କ ପକ୍ଷରୁ ସୌଭାଗ୍ୟ କେତନ ନାୟକ ଓ ଜନ୍ମେଜୟ କଟିକିଆ, ବିଡିଏ ଆଡଭୋକେଟ୍‌ ଦୟାନନ୍ଦ ମହାପାତ୍ର, କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଆଡଭୋକେଟ୍‌ ଅମ୍ରିତା ପାଣ୍ଡେ, ଓଏସ୍‌ପିସିବିର ଆଡଭୋକେଟ୍‌ ପନିୟା ବାନାର୍ଜୀ ବିହାନି ଭର୍ଚୁଆଲ୍‌ ମୋଡ୍‌ରେ ଉପସ୍ଥିତ ଥିଲେ। ପରିସ୍ଥିତିର ଗମ୍ଭୀରତାକୁ ବିଚାରକୁ ନେଇ ଏନ୍‌ଜିଟି ପକ୍ଷରୁ ତୁରନ୍ତ ଶୁଣାଣି କରାଯାଇଛି।

ଅଭିଯୋଗକାରୀ ଦର୍ଶାଇଥିଲେ ଯେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ସଂଲଗ୍ନରେ ଏହି ପାହାଡ଼ ପୂର୍ବଘାଟ ପର୍ବତମାଳାର ଅଂଶ ବିଶେଷ। ଯାହାକି ପ୍ରାକୃତିକ ପରିବେଶ ଓ ସବୁଜ ଅରଣ୍ୟାନୀ ଗୁଳ୍ମ ଜାତୀୟ ଜଙ୍ଗଲୀ ଔଷଧୀୟ ବୃକ୍ଷରାଜିରେ ପରିପୂର୍ଣ୍ଣ ରହିଛି। ସରକାରୀସ୍ତରରେ ପରିବେଶ ଓ ଜଙ୍ଗଲ ଆଇନକୁ ଉଲ୍ଲଂଘନ କରାଯାଇ ନିର୍ମାଣ କାର୍ଯ୍ୟ କରାଯାଉଛି। ପାହାଡ଼ ଫଟାଯିବା ସହ ଶିଖରଚଣ୍ଡୀ ପାହାଡ଼ରୁ ବେଧଡ଼କ ଭାବେ ଗଛ କଟାଯାଇଛି। ଜଙ୍ଗଲ(ସଂରକ୍ଷଣ) ଆଇନ ଅନୁଯାୟୀ ବିନା ପରିବେଶ ମଞ୍ଜୁରି ସାର୍ଟିଫିକେଟ୍‌ରେ ଗଛ କଟା ହୋଇଛି। ପ୍ରକଳ୍ପ ପାଇଁ କେଉଁଭଳି ଭାବେ ନିର୍ମାଣ କାର୍ଯ୍ୟ କରାଯାଉଛି, ଗଛ କଟାଯାଇ ଜୈବ ବିବିଧତାକୁ ନଷ୍ଟ କରାଯାଇଛି ସେନେଇ ଅଭିଯୋଗକାରୀ ପ୍ରମାଣ ଭାବେ ଏନ୍‌ଜିଟିରେ ଫଟୋ ଦାଖଲ କରିଛନ୍ତି। ଏହି ପାହାଡ଼ଟିର ପ୍ରାକୃତିକ ପରିବେଶରେ ଅନେକ ବିଲୁପ୍ତପ୍ରାୟ ବନ୍ୟଜନ୍ତୁ ଓ ପକ୍ଷୀକୂଳଙ୍କ ଆଶ୍ରୟସ୍ଥଳ ପାଲଟିଛି। ଏସମ୍ପର୍କରେ ପ୍ରତିଷ୍ଠିତ ଜର୍ଣ୍ଣାଲରେ ଉଲ୍ଲେଖ ରହିଥିବା ଦର୍ଶାଇଛନ୍ତି। ବାଣୀବିହାର ଉଦ୍ଭିଦ ବିଜ୍ଞାନ ବିଭାଗ ଦ୍ୱାରା ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ, କେବଳ ଶିଖରଚଣ୍ଡୀ ପାହାଡରେ ୨ ଶହ ୨୦ ପ୍ରକାରର ଔଷଧୀୟ ବୃକ୍ଷ ସହ ଅନେକ ଜୀବଜନ୍ତୁ ଥିବା ଦର୍ଶାଯାଇଛି । ବିଶେଷଜ୍ଞମାନେ ଏହି ପାହାଡ଼ ଉପରେ ଗବେଷଣା କରିବା ସହ ଏକାଧିକ ତଥ୍ୟ ସମ୍ବଳିତ ଲେଖା ପ୍ରକାଶ କରିଛନ୍ତି। ଯେଉଁଥିରେ ପୂର୍ବଘାଟ ପର୍ବତମାଳା ସହ ଏହା କିଭଳି ଯୋଡ଼ି ହୋଇ ରହିଛି ତାହା ଏଥିରେ ଉଲ୍ଲେଖ ରହିଛି। ଗଣମାଧ୍ୟମରେ ବିଭିନ୍ନ ସମୟରେ ପ୍ରକାଶ ପାଇଥିବା ରିପୋର୍ଟ ବି ଆବେଦନକାରୀମାନଙ୍କ ପକ୍ଷରୁ ଦାଖଲ ହୋଇଛି। ଯେଉଁଥିରେ କୁହାଯାଇଛି ଯେ ଏହାଦ୍ବାରା ପ୍ରାୟ ୧୦ ଏକର ଜଙ୍ଗଲ ନଷ୍ଟ ହୋଇଛି।

ଆବେଦନକାରୀଙ୍କ ତଥ୍ୟକୁ ଆଧାର ଭିତ୍ତିରେ ଜଙ୍ଗଲ(ସଂରକ୍ଷଣ) ଆଇନ-୧୯୮୦ର ଉଲ୍ଲଂଘନ ହୋଇଥିବା ଖଣ୍ଡପୀଠ ହୃଦ୍‌ବୋଧ କରିଛନ୍ତି। ପାହାଡ଼ରେ ଥିବା ଜୈବ ବିବିଧତା ନଷ୍ଟ, ବିଶେଷକରି ବିଲୁପ୍ତପ୍ରାୟ ଔଷଧୀୟ ବୃକ୍ଷ, ବନ୍ୟଜନ୍ତୁ ପ୍ରଜାତି ଓ ପାହାଡ଼ ନଷ୍ଟ ହୋଇଥିବା ଆଶଙ୍କା ହେଉଛି। ତେଣୁ ଏନ୍‌ଜିଟି ଆକ୍ଟ ସେକ୍ସନ ୧୫ ଅନୁଯାୟୀ ଉକ୍ତ ଘଟଣାରେ ହସ୍ତକ୍ଷେପ ଜରୁରୀ ହୋଇପଡ଼ିଛି। ଆଗକୁ କିଭଳି ଅଧିକ ନଷ୍ଟ ନ ହୁଏ ଏବଂ ‌ଯେତିକି ନଷ୍ଟ ହୋଇଛି ତାହାର କିଭଳି ପୁନରୁଦ୍ଧାର ଉପରେ ଗୁରୁତ୍ବ ଦିଆଯାଇଛି।

Related Posts