ଗ୍ରାମାଞ୍ଚଳରେ ନିଯୁକ୍ତି ଚାହିଦା ନେଇ ନିର୍ମଳାଙ୍କ ଅର୍ଦ୍ଧସତ୍ୟ: ମନରେଗାରେ କାମର ଚାହିଦା ହ୍ରାସ ପାଇଛି ସତ କିନ୍ତୁ ଏବେବି କୋଭିଡ ପୂର୍ବବର୍ତ୍ତୀ ବର୍ଷ ତୁଳନାରେ ଅଧିକ ରହିଛି।

ଭୁବନେଶ୍ୱର,୨୬/୧୨(ସତ୍ୟପାଠ ବ୍ୟୁରୋ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ଅଧୀନରେ କାମର ଚାହିଦା ହ୍ରାସ ପାଇଛି । ଗତ ଡ଼ିସେମ୍ବର ୧୪ ତାରିଖରେ ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଦାବି କରିଛନ୍ତି। ସୀତାରମଣ ଗୃହରେ କହିଛନ୍ତି ଯେ, ବର୍ତ୍ତମାନ ଦେଶର ଗ୍ରାମାଞ୍ଚଳରେ ଚାକିରୀର ଚାହିଦା ହ୍ରାସ ପାଉଛି। ନିକଟ ଅତୀତରେ ମନରେଗା ଅଧୀନରେ କାମର ଚାହିଦା ହ୍ରାସ ପାଉଛି ବୋଲି ସେ କହିଛନ୍ତି। ହେଲେ ଚାକିରି ହ୍ରାସର ପ୍ରକୃତ ସମୟସୀମା ବିଷୟରେ ଅର୍ଥମନ୍ତ୍ରୀ କୌଣସି ତଥ୍ୟ ଦେଇନାହାନ୍ତି ।

ସମସ୍ତଙ୍କୁ ଜଣା ଯେ, ୨୦୨୦ ମସିହାରେ ଭାରତରେ କୋଭିଡ ମହାମାରୀ ଏହାର ପ୍ରଭାବ ବିସ୍ତାର କରିଥିଲା । ଏଥିପାଇଁ ଦେଶବ୍ୟାପୀ ୨୦୨୦ ମସିହା ମାର୍ଚ୍ଚ ୨୦ରୁ ଲକଡାଉନ ଲାଗୁ ହୋଇଥିଲା। ଏହି ସମୟରେ ଦେଶର ଲକ୍ଷ ଲକ୍ଷ ଶ୍ରମିକ ନିଜ କର୍ମସ୍ଥଳୀ ଛାଡି ନିଜ ଘରକୁ ଫେରି ଆସିଥିଲେ । ତେବେ ସେହି କୋଭିଡ ମହାମାରୀ ସମୟରେ ଗତ ୨୦୨୦-୨୧ ମସିହାରେ ମନରେଗା ଅଧୀନରେ ଭାରତର ଗ୍ରମଞ୍ଚଳର ୮.୫୫ କୋଟିରୁ ଅଧିକ ପରିବାର କାମ ପାଇଁ ଦାବି କରିଥିବା ବେଳେ ୨୦୨୧-୨୨ ରେ ଏହି ସଂଖ୍ୟା ପ୍ରାୟ ୮.୦୫ କୋଟିରେ ପହଞ୍ଚିଛି। ଯାହା ଏହାର ପୂର୍ବବର୍ଷ ତୁଳନାରେ ପ୍ରାୟ ୫.୮% ହ୍ରାସ ପାଇଛି ଓ ଏହି ଧାରା ୨୦୨୨-୨୩ ରେ ମଧ୍ୟ ଜାରି ରହିଛି। ୨୦୨୩ ଡିସେମ୍ବର ୨୨ ପର୍ଯ୍ୟନ୍ତ, ୬.୨୪ କୋଟିରୁ ଅଧିକ ପରିବାର କାମ ପାଇଁ ଦାବି କରିଛନ୍ତି, ଯାହା ପୂର୍ବ ଦୁଇ ବର୍ଷର ସମାନ ସମୟ ତୁଳନାରେ କମ୍ ରହିଛି। ହେଲେ କୋଭିଡ ମହାମାରୀ ପୂର୍ବ ୨୦୧୯-୨୦ ବର୍ଷରେ ୬.୧୬ କୋଟି ପରିବାର କାମ ପାଇଁ ଦାବି କରିଥିଲେ, ଯାହା ଚଳିତ ବର୍ଷ ତୁଳନାରେ   ଅଧିକ ରହିଛି । ଏହି ପରିସଂଖ୍ୟାନକୁ ଲକ୍ଷ୍ୟ କଲେ ଜଣାପଡୁଛି ଯେ, ମନରେଗା ଅଧୀନରେ କାମର ଚାହିଦା ହ୍ରାସ ପାଇଛି ସତ କିନ୍ତୁ ଏହା ଏବେବି କୋଭିଡ ପୂର୍ବବର୍ତ୍ତୀ ବର୍ଷ ଗୁଡିକ ତୁଳନାରେ ଅଧିକ ରହିଛି ।

ମନରେଗା ୱେବସାଇଟ ତଥ୍ୟ ଯାହା କହେ:-

ତେବେ କେନ୍ଦ୍ର ଅର୍ଥମନ୍ତ୍ରୀ ଦାବିକୁ ଯାଞ୍ଚ କରିବାକୁ ଯାଇ ଗତ ୨୦୧୮ ମାର୍ଚ୍ଚରୁ ଚଳିତ ଡିସେମ୍ବର ୨୨,୨୦୨୨ ମଧ୍ୟରେ ମନରେଗା ଅଧୀନରେ କାମର ଚାହିଦାକୁ ନେଇ ଥିବା ତଥ୍ୟକୁ ଦେଖିଲେ ଜଣାଯାଏ ଯେ, ଦେଶର ଗ୍ରାମାଞ୍ଚଳରେ କାମର ଚାହିଦା କ୍ରମାଗତ ଭାବରେ ବୃଦ୍ଧି ପାଉଛି ଗତ ୨୦୧୮-୧୯ ମସିହାରେ ଦେଶର ଗ୍ରାମାଞ୍ଚଳରେ ଥିବା ୫.୮୭ କୋଟି ପରିବାରର ୯.୧୧ କୋଟି ଲୋକ କାମ ପାଇଁ ଦାବି କରିଥିବା ବେଳେ ୨୦୧୯-୨୦ ମସିହାରେ ୬.୧୬ କୋଟି ପରିବାରର ୯.୩୩ କୋଟି ଲୋକ ମନରେଗା ଅଧୀନରେ କାମ ପାଇଁ ଦାବି କରିଛନ୍ତି।

ମନରେଗା ଯୋଜନା କ’ଣ?

ମନରେଗା ହେଉଛି ଏକ ସାମାଜିକ ସୁରକ୍ଷା ଏବଂ ନିଯୁକ୍ତି ଯୋଜନା। ଭାରତର ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ପ୍ରତି ଆର୍ଥିକ ବର୍ଷରେ ଅତି କମରେ ୧୦୦ ଦିନର ସୁନିଶ୍ଚିତ ବେତନ ନିଯୁକ୍ତି ପ୍ରଦାନ କରିବା ଏହି ଯୋଜନାର ଲକ୍ଷ୍ୟ। ଏହି ପରିବାର ଗୁଡିକର ବୟସ୍କ ସଦସ୍ୟମାନେ ଅଣକୁଶଳୀ ମାନୁଆଲ କାର୍ଯ୍ୟ କରିବାକୁ ସ୍ବେଛାସେବୀ ଅଟନ୍ତି | ଏହି ଯୋଜନାକୁ  ୨୦୦୬ ରେ କାର୍ଯ୍ୟକାରୀ କରାଯାଇଥିବାବେଳେ ଏହା ଭାରତ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ ଆସୁଛି |

Related Posts