ନିର୍ବାଚନ ଲଢ଼ିବାକୁ ଭୟ କରନ୍ତି ନୀତିଶ କୁମାର: ପ୍ରଶାନ୍ତ କିଶୋର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଖରେ ବିହାରର କୌଣସି ବି ସ୍ଥାନରୁ ନିର୍ବାଚନ ଲଢ଼ିବାର ସାହସ ନାହିଁ | ସେ ନିର୍ବାଚନ ଲଢ଼ିବାକୁ ଭୟ କରନ୍ତି | କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ରାଜନୈତିକ ରଣନୀତିକାର ଭାବେ ପରିଚିତ ପ୍ରଶାନ୍ତ କିଶୋର | ସେ ଆହୁରି କହିଛନ୍ତି ଯେ, ନୀତିଶ ଅନେକ ବର୍ଷ ପୂର୍ବରୁ ନିର୍ବାଚନ ଲଢ଼ିବା ଛାଡିଦେଇଛନ୍ତି। ବାରମ୍ବାର କେବଳ ମେଣ୍ଟ ପରିବର୍ତ୍ତନ କରି ସେ ଫେବିକଲ ସାହାଯ୍ୟରେ ମୁଖ୍ୟମନ୍ତ୍ରୀ ଚୌକିରେ ବସିଛନ୍ତି ବୋଲି କହି ପ୍ରଶାନ୍ତ ନୀତିଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି |

ସେହିପରି ବିହାରରେ ବିଗିଡିଯାଇଥିବା ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶାନ୍ତ କିଶୋର ନୀତୀଶଙ୍କ ୧୮ ବର୍ଷର କଳା ଅଧ୍ୟାୟ ଭାବରେ ବର୍ଣ୍ଣନା କରି କହିଛନ୍ତି ଯେ, ବିହାରର ଦୁଇ ପିଢ଼ି ଅଶିକ୍ଷିତ ରହିଛନ୍ତି। ବେକାରୀ ଯୋଗୁଁ ବିହାରର ଯୁବକ କାମ ସନ୍ଧାନରେ ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି | ଗାଁର ୫୦ ରୁ ୬୦ ପ୍ରତିଶତ ଯୁବକ ବାହାରେ ରହିଥିବାରୁ ପରିବାର ଏବଂ ସମାଜର ଧାରଣା ନଷ୍ଟ ହୋଇଯାଇଛି। ଏହାସହିତ ନୀତିଶ କ୍ଷମତା ଲୋଭରେ ରାଜ୍ୟକୁ ନଷ୍ଟ କରି ଦେଇଛନ୍ତି। ବିହାରର ଦୁର୍ଦ୍ଦଶା ପାଇଁ କେବଳ ନୀତିଶ ହିଁ ଦାୟୀ ବୋଲି କହି କଡା ଟାର୍ଗେଟ କରିଛନ୍ତି ପ୍ରଶାନ୍ତ |

ତେବେ ଏକଦା ନୀତିଶ କୁମାରଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ପ୍ରଶାନ୍ତ କିଶୋର ଏବେ ନୀତିଶ ସରକାରଙ୍କ ବିରୋଧରେ ଜନ ସ୍ୱରାଜ ଯାତ୍ରା କରୁଛନ୍ତି | ବିହାର ସରକାରଙ୍କ ବିଫଳତା ଲୋକଙ୍କୁ କହିବା ସହିତ ସିଧା ନୀତିଶ ଙ୍କୁ ଟାର୍ଗେଟ କରୁଛନ୍ତି | ସେପଟେ ଆଗକୁ 2024 ଲୋକସଭା ନିର୍ବାଚନ ଥିବାବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବେ ରାଜ୍ୟ ରାଜନୀତି ଅପେକ୍ଷା ଜାତୀୟ ରାଜନୀତିରେ ଅଧିକ ଆଗ୍ରହ ଦେଖାଉଛନ୍ତି | କେନ୍ଦ୍ରର ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଇଣ୍ଡିଆ ମେଣ୍ଟ ଗଠନ ପଛରେ ତାଙ୍କର ହାତ ରହିଛି ବୋଲି କୁହାଯାଉଛି | ଏପରିକି ଆଗାମୀ ଲୋକସଭା ନିର୍ବାଚନରେ ନୀତିଶ ନିର୍ବାଚନ ଲଢ଼ି ସାଂସଦ ହେବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି | ଏଭଳି ସ୍ଥିତିରେ ସେ ନିର୍ବାଚନ ଲଢ଼ିବାକୁ ଭୟ କରନ୍ତି ବୋଲି ପ୍ରଶାନ୍ତ କିଶୋର ମନ୍ତବ୍ୟ ଦେବା ବିହାର ରାଜନୀତିକୁ ସରଗରମ କରିଛି | ତେବେ ଚର୍ଚ୍ଚା ମଧ୍ୟରେ ବାସ୍ତବରେ ନୀତିଶ କୁମାର ବିହାର ମୁଖ୍ୟମନ୍ତ୍ରୀ ରହୁଛନ୍ତି ନା 2024 ନିର୍ବାଚନରେ ସିଧାସଳଖ ଜାତୀୟ ରାଜନୀତିରେ ପ୍ରବେଶ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା |

Related Posts