ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ ପୁଣି ଥରେ ମହା ଗଠବନ୍ଧନ ସରକାର ଗଠନ ହୋଇଛି। ଭାଜପା ସହ ସମ୍ପର୍କ କାଟି ନୀତୀଶ କୁମାର ପୁଣି ବିରୋଧୀଙ୍କ ସହ ମିଶି ସରକାର ଗଢିଛନ୍ତି। ଏହାପରେ ଜେଡିୟୁ ଏବଂ ଭାଜପା ନେତାଙ୍କ ମଧ୍ୟରେ ବାକ୍ଯୁଦ୍ଧ ଆରମ୍ଭ ହୋଇଛି। ବିହାରର ସାସରାମରୁ ଭାରତୀୟ ଜନତା ପାର୍ଟି (ଭାଜପା) ସାଂସଦ ଛେଦୀ ପାଶୱାନ ନୀତୀଶ କୁମାରଙ୍କ ଉପରେ ବର୍ଷିଛନ୍ତି।ନୀତୀଶ କୁମାରଙ୍କୁ ଜଣେ ‘ଉଚ୍ଚାଭିଳାଷୀ ଏବଂ ଅବିଶ୍ୱସନୀୟ ବ୍ୟକ୍ତି’ ବୋଲି କହି ଛେଦୀ ପାଶୱାନ କହିଛନ୍ତି କହିଛନ୍ତି, ପ୍ରଧାନମନ୍ତ୍ରୀ ପଦ ପାଇଁ ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ (ୟୁନାଇଟେଡ) ନେତା ନୀତୀଶ କୁମାର ଅଣ୍ଡରୱାଲର୍ଡ ଡନ ଦାଉଦ ଇବ୍ରାହିମଙ୍କ ସହ ମଧ୍ୟ ହାତ ମିଳାଇ ପାରିବେ। କିନ୍ତୁ ନୀତୀଶଙ୍କ ବିଡମ୍ବନାର ବିଷୟ ଯେ ସେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ। ନୀତୀଶ ଜଣେ ସ୍ବାର୍ଥବାଦୀ ନେତା। ସେ ସବୁବେଳେ ନିଜ ସ୍ବାର୍ଥ ଦେଖି କାର୍ଯ୍ୟ କରନ୍ତି ବୋଲି କହି ନୀତିଶ ଙ୍କୁ ଟାର୍ଗେଟ କରିଛନ୍ତି ଛେଦୀ।
ସୂଚନାଯୋଗ୍ୟ, ବିହାରରେ ୨୦୧୭ରେ ଭାଜପା ସମର୍ଥନରେ ଜେଡିୟୁ ସରକାର ଗଢ଼ିବା ପରଠାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଭାଜପା ନେତା କ୍ରମାଗତ ଭାବେ ପରସ୍ପରକୁ କଟାକ୍ଷ କରିଆସୁଥିଲେ। କିନ୍ତୁ ଗତ କିଛିଦିନ ହେଲା ତାହା ଚରମ ସ୍ଥିତିରେ ପହଞ୍ଚତ୍ ଥିବାବେଳେ ରାଜ୍ୟରେ ଏନ୍ଡିଏ ମେଣ୍ଟ ଭାଙ୍ଗି ଯାଇଥିଲା। ଜେଡିୟୁର ଅଭିଯୋଗ ଥିଲା ଦଳ ଭିତରେ ନୀତିଶଙ୍କ ପତିଆରା କ୍ଷୁଣ୍ଣ କରିବାକୁ ଭାଜପା ଉଦ୍ୟମ ଚଳାଇଥିଲା। ଶେଷରେ ଭାଜପାଠାରୁ ଦୂରେଇ ନୀତୀଶ କୁମାର ଆରଜେଡି ସହ ମିଶି ରାଜ୍ୟରେ ସରକାର ଗଢିଛନ୍ତି।





