ଭୁବନେଶ୍ୱର,୨୧/୫(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରେ କ୍ଷମତାକୁ ନେଇ କେନ୍ଦ୍ର ଓ କେଜ୍ରିୱାଲ ସରକାର ଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ମଧ୍ୟରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ଭେଟିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଦୁଇ ନେତାଙ୍କ ସାକ୍ଷାତ ପରେ ନୀତୀଶ କୁମାର କେନ୍ଦ୍ର ସରକାର ଦିଲ୍ଲୀ ପାଇଁ ଆଣିଥିବା ଅଧ୍ୟାଦେଶକୁ ସମ୍ବିଧାନ ବିରୋଧୀ କହି ସମାଲୋଚନା କରିଛନ୍ତି।
ତେବେ ଶାସକ ‘ବିଜେପି’ ବିରୋଧରେ ବିରୋଧୀ ଏକତା ବିଷୟରେ ଆଲୋଚନା କରିବା ଲାଗି ଆଜି ସକାଳେ ନୀତୀଶ କେଜ୍ରିୱାଲ୍ଙ୍କ ବାସଭବନରେ ପହଞ୍ଚିଥିଲେ।ଏଥିପାଇଁ ପୂର୍ବରୁ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଥିଲା।ବୈଠକ ଶେଷ ହେବା ପରେ ଗଣମାଧ୍ୟମକୁ କେଜ୍ରିୱାଲ୍ କହିଛନ୍ତି ଯେ, ଦିଲ୍ଲୀ ସରକାରଙ୍କ ସପକ୍ଷରେ ସୁପ୍ରିମ୍ କୋର୍ଟ ଦେଇଥିବା ରାୟକୁ ଅକାମୀ କରିବା ପାଇଁ କେନ୍ଦ୍ର ସରକାର ଆଗତ କରିଥିବା ଅଧ୍ୟାଦେଶ ପ୍ରସଙ୍ଗରେ ନୀତୀଶଜୀ ଦିଲ୍ଲୀବାସୀଙ୍କୁ ସମର୍ଥନ କରିବେ ବୋଲି ଆଜି ବୈଠକରେ ଆଲୋଚନା କରୁଥିବା ବେଳେ କହିଛନ୍ତି। ଯଦି କେନ୍ଦ୍ର ସରକାର ଚିଠା ବା ‘ବିଲ୍’ ଭାବେ ଏହି ଅଧ୍ୟାଦେଶ ସଂସଦରେ ଆଗତ କରନ୍ତି ଏବଂ ଯଦି ସମସ୍ତ ‘ଅଣ-ବିଜେପି’ ଦଳ ଏକଜୁଟ ହୁଅନ୍ତି ତେବେ ଉକ୍ତ ଚିଠାକୁ ରାଜ୍ୟସଭାରେ ନାକଚ କରିହେବ। ଏବଂ ଏପରି ହେଲେ ବିଜେପି ସରକାର ବିରୋଧରେ ବିରୋଧୀଙ୍କ ଏକତା ନେଇ ଏକ ଦୃଢ଼ ବାର୍ତ୍ତା ମଧ୍ୟ ଲୋକଙ୍କ ମଧ୍ୟକୁ ଯିବ ବୋଲି କେଜ୍ରିୱାଲ କହିଛନ୍ତି ।
ସୂଚନା ଅନୁସାରେ, ଆଜି ନୀତୀଶଙ୍କ ସହିତ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ‘ଜେଡିୟୁ’ ନେତା ମନୋଜ ଝା, ଲାଲନ୍ ସିଂହ ଓ ସଞ୍ଜୟ ଝା ମଧ୍ୟ ରହିଥିଲେ। ଦିଲ୍ଲୀସ୍ଥିତ ଫ୍ଲାଗ୍ ଷ୍ଟାଫ୍ ରୋଡ୍ରେ ଅବସ୍ଥିତ କେଜ୍ରିୱାଲ୍ଙ୍କ ବାସଭବନରେ ପୂର୍ବାହ୍ନ ୧୧.୩୦ରେ ଏହି ବୈଠକ ଆରମ୍ଭ ହୋଇଥିଲା।
ବୈଠକ ପରେ ଗଣମାଧ୍ୟମକୁ ନୀତୀଶ କହିଛନ୍ତି ଯେ, ଏକ ନିର୍ବାଚିତ ସରକାରକୁ ମିଳିଥିବା କ୍ଷମତା ଛଡ଼ାଇ ନିଆଯାଇ ପାରିବ ନାହିଁ। ନିର୍ବାଚିତ ସରକାରକୁ ମିଳିଥିବା କ୍ଷମତା କିପରି ଛଡ଼ାଇ ନିଆଯାଇ ପାରିବ? ଏହା ସମ୍ବିଧାନ ବିରୋଧୀ। ଆମେ କେଜ୍ରିୱାଲ୍ଙ୍କୁ ସମର୍ଥନ କରୁଛୁ। ଆମେ ଦେଶର ସମସ୍ତ ବିରୋଧୀ ଦଳଙ୍କୁ ଏକଜୁଟ କରିବା ଲାଗି ଉଦ୍ୟମ କରୁଛୁ।
କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିଷୟରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ରାଜ୍ୟସଭାରେ ବିରୋଧୀମାନଙ୍କ ସହଯୋଗ ପାଇଁ ନିବେଦନ କରିବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିୟନ୍ତ୍ରଣ ଫେରାଇ ଆଣିବା ଲାଗି କେନ୍ଦ୍ର ସରକାର ଏହି ଅଧ୍ୟାଦେଶ ଜାରି କରିବେ ବୋଲି ଜଣାପଡିଛି।





