ଆଗୁଆ ଲୋକସଭା ନିର୍ବାଚନ ହେବା ନେଇ ନୀତିଶଙ୍କ ଆଶଙ୍କା, ଗୁଜବ ମାଷ୍ଟର କହି କଟାକ୍ଷ କଲା ବିଜେପି

ଭୁବନେଶ୍ୱର,୧୫/୬(ସତ୍ୟପାଠ ବ୍ୟୁରୋ): 2024 ପୂର୍ବରୁ ଲୋକସଭା ନିର୍ବାଚନ ହୋଇପାରେ ବୋଲି ବୁଧବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଶଙ୍କା ପ୍ରକାଶ କରିଛନ୍ତି | ଏନେଇ ପ୍ରସ୍ତୁତ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହିତ ସମସ୍ତ କାମକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିବାକୁ ବୁଧବାର ଦିନ ନୀତିଶ କହିଛନ୍ତି । ସେପଟେ ନୀତୀଶ କୁମାରଙ୍କ ଏହି ବୟାନର ଜବାବ ଦେଇଛି ବିଜେପି । ଆଜି ବିଜେପି ମୁଖପାତ୍ର ନିଖିଲ ଆନନ୍ଦ କହିଛନ୍ତି ଯେ ନୀତୀଶ କୁମାର ସମୟ ପୂର୍ବରୁ ଲୋକସଭା ନିର୍ବାଚନ ହେବ ବୋଲି ଗୁଜବ ପ୍ରଚାର କରୁଛନ୍ତି । ନୀତିଶ ଜଣେ ଗୁଜବର ମାଷ୍ଟର ବୋଲି ସେ କହିଛନ୍ତି।

ବିଜେପି ମୁଖପାତ୍ର ତାଙ୍କ ବିବୃତିରେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଚମତ୍କାର ପ୍ରଚାର ଚଳାଇଛନ୍ତି। ଦୁର୍ନୀତିଗ୍ରସ୍ତ ଲାଲୁଙ୍କ କୋଳରେ ବସି ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି। ତାଙ୍କ ସ୍ୱପ୍ନ କେବେ ପୂରଣ ହେବ ନାହିଁ । ନୀତୀଶ ତାଙ୍କ ଅବସର ଯୋଜନା ପ୍ରସ୍ତୁତ କରିଛନ୍ତି। ଖୁବଶୀଘ୍ର ତାଙ୍କୁ ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପଡିବ ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ, ବୁଧବାର ଦିନ ପାଟନାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ନୀତୀଶ କୁମାର ଅଧିକାରୀମାନଙ୍କୁ ଶୀଘ୍ର କାମ ଶେଷ କରିବାକୁ କହିଥିଲେ। ନୀତୀଶ କୁମାର କହିଥିଲେ, ଆପଣ କହୁଛନ୍ତି ଯେ ଆମେ ଜାନୁଆରୀ ୨୦୨୪ ସୁଦ୍ଧା ଏହା ଶେଷ କରିବୁ, କିନ୍ତୁ ଆମେ ଆପଣଙ୍କୁ ଅନୁରୋଧ କରିବୁ ଯେ ଆପଣ ଏହା ଶୀଘ୍ର କରନ୍ତୁ । ଏହା ଯେତେ ଶୀଘ୍ର ହେବ, ସେତେ ଭଲ ହେବ | କାରଣ ନିର୍ବାଚନ କେବେ ହେବ ତାହା କେହି ଜାଣନ୍ତି କି? ଆସନ୍ତା ବର୍ଷ ନିର୍ବାଚନ ହେବ ବୋଲି କିଛି ଧାର୍ଯ୍ୟ ଅଛି କି ? ହୋଇପାରେ ତା ପୂର୍ବରୁ ନିର୍ବାଚନ ବିଗୁଲ ବାଜିପାରେ | ତେଣୁ ଶୀଘ୍ର କାମ କରନ୍ତୁ ବୋଲି ନୀତିଶ କହିଥିଲେ।

ତେବେ ଆଗକୁ ବିହାରରେ ପାଟଣାରେ ବିରୋଧୀ ନେତା ମାନେ ଏକାଠି ହେବାକୁ ଥିବା ବେଳେ ବର୍ତ୍ତମାନ ନିତୀଶଙ୍କ ଆଗୁଆ ନିର୍ବାଚନ ନେଇ ପୂର୍ବାନୁମାନ ବିହାର ରାଜନୀତିକୁ ଅଧିକ ସରଗରମ କରିଛି |

Related Posts