୩ ଶହ ୟୁନିଟ୍‌ ମାଗଣା ବିଜୁଳି ଯୋଗାଣ ନେଇ କୌଣସି ଘୋଷଣା କରାଯାଇ ନାହିଁ ; ସ୍ପଷ୍ଟିକରଣ ରଖିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭/୮(ସତ୍ୟପାଠ ବ୍ୟୁରୋ): ଓଡ଼ିଶାରେ ବିଧାନସଭା ନିର୍ବାଚନ ପୂର୍ବରୁ ତତ୍କାଳୀନ ସରକାର ୧୫୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାକୁ ଘୋଷଣା କରିଥିଲା। ଅନ୍ୟପଟେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି କେନ୍ଦ୍ରୀୟ ଯୋଜନା ଅଧୀନରେ ଛାତ ଉପରେ ସୋଲାର ପ୍ରକଳ୍ପ ସ୍ଥାପନ କରୁଥିବା ଘରଗୁଡ଼ିକୁ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଲ୍‌ ଦେବାକୁ ପଡିବ ନାହିଁ ବୋଲି ବିଜେପି କହିଥିଲା। ଯାହାକୁ ନେଇ ଏବେ ଦ୍ୱନ୍ଦ୍ୱ ଉପୁଜିବାରୁ ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ।

ସେ କହିଛନ୍ତି, ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଣ ବ୍ୟବସ୍ଥା ନେଇ କୌଣସି ଘୋଷଣା କରାଯାଇ ନାହିଁ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି କେନ୍ଦ୍ରୀୟ ଯୋଜନା ଅଧୀନରେ ଛାତ ଉପରେ ସୋଲାର ପ୍ରକଳ୍ପ ସ୍ଥାପନ କରୁଥିବା ଘରଗୁଡ଼ିକୁ ୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ବିଲ୍‌ ଦେବାକୁ ପଡିବ ନାହିଁ । ଏ ବାବଦରେ କେନ୍ଦ୍ର ସରକାର ୩ କିଲୋୱାଟ୍‌ ପର୍ଯ୍ୟନ୍ତ ସୋଲାର ପ୍ରକଳ୍ପ ସ୍ଥାପନ ପାଇଁ ୭୮ ହଜାର ଟଙ୍କା ରିହାତି ପ୍ରଦାନ କରୁଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ମାସିକ ୩୦୦ ୟୁନିଟ୍‌ରୁ ଅଧିକ ବିଜୁଳି ଉତ୍ପାଦିତ ହୋଇପାରିବ । ଏହାଦ୍ୱାରା ଉପଭୋକ୍ତା ଲାଭବାନ୍‌ ହେବେ ବୋଲି ସେ କହିଛନ୍ତି ।

ବରଗଡ ଜିଲାରେ ମାଗଣା ବିଜୁଳି ଶକ୍ତି ଯୋଗାଣ ଆଧାରରେ ଉପଭୋକ୍ତା ବିଜୁଳି ମିଟର ବାହାର କରିଦେଉଥିବା ଜଣାପଡୁଛି ବୋଲି ମନ୍ତ୍ରୀ ସିଂଦେଓ କହିଛନ୍ତି । ତେବେ ଏଭଳି ମିଥ୍ୟାପ୍ରଚାରକୁ ବିଶ୍ୱାସ ନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଅଣତାଲିମପ୍ରାପ୍ତ ଲୋକଙ୍କ ଦ୍ୱାରା କରାଯାଉଥିବା ଏଭଳି କାର୍ଯ୍ୟ ବିପଦ ସୃଷ୍ଟି କରିପାରେ । ଏହାଦ୍ୱାରା ସୃଷ୍ଟ ପରିସ୍ଥିତି ପାଇଁ ବିତରକ କମ୍ପାନୀ ଦାୟୀ ରହିବ ନାହିଁ ବୋଲି ମନ୍ତ୍ରୀ ସିଂଦେଓ ସତର୍କ କରାଇଦେଇଛନ୍ତି । ମିଟର ବଦଳାଇବା ପାଇଁ ସ୍ୱୀକୃତିପ୍ରାପ୍ତ ବୈଷୟିକ କର୍ମଚାରୀଙ୍କର ସହାୟତା ନେବାକୁ ସେ କହିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାର ସୁଯୋଗ ନେବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।

Related Posts